ଜାତୀୟ ଗ୍ରୀଡରେ ବିଭ୍ରାଟ ଯୋଗୁଁ ବିଦ୍ୟୁତ ସରବରାହ ଠପ୍‌, ଅନ୍ଧାରରେ ପୂରା ପାକିସ୍ତାନ

ଇସଲାମାବାଦ : ଅନ୍ଧାରରେ ବୁଡିଛି ପାକିସ୍ତାନ । ଖାଦ୍ୟ ଆଉ ଅର୍ଥ ସଂକଟ ପରେ ବିଜୁଳି ସଂକଟ। ପୂରା ଦେଶ ବ୍ଲାକ ଆଉଟ। ରାଜଧାନୀ ଇସଲାମାବାଦ, କରାଚି, ଲାହୋର, ପେଶାଓ୍ଵାର ଆଦି ପ୍ରମୁଖ ସହରରେ ବିଜୁଳି ନାହିଁ। ଘଣ୍ଟଘଣ୍ଟା ଧରି ବିଦ୍ୟୁତ୍‌ ନଥିବାରୁ କଲବଲ ହେଉଛନ୍ତି ଲେକ। ପାକିସ୍ତାନ ଜାତୀୟ ଗ୍ରୀଡ଼ରେ ବିଭ୍ରାଟ ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ। ସଜାଡ଼ିବାକୁ ଅନେକ ଘଣ୍ଟା ଲାଗିଯିବ । ୧୨ ଘଣ୍ଟାରୁ ଅଧିକ ସମୟ ଲାଗିପାରେ। ଏହାକୁ ବଡ଼ ସଂକଟ ନୁହେଁ ବୋଲି କହିଛନ୍ତି ପାକିସ୍ତାନ ସରକାର। ବିଦ୍ୟୁତ୍‌ ବିଭାଗ କହିଛି, ମରାମତି ଦ୍ରୁତ ଗତିରେ ଚାଲିଛି। ଖୁବ ଶୀଘ୍ର ସ୍ୱାଭାବିକ ହେବ ବିଦ୍ୟୁତ ସରବରାହ। ତେବେ ସ୍ୱାଭାବିକ ବିଦ୍ୟୁତ ସେବା ପାଇଁ ଅନେକ ଘଣ୍ଟା ଲାଗିଯିବ ବୋଲି କୁହାଯାଉଛି।

କାହିଁକି ପାକିସ୍ତାନରେ ବିଜୁଳି ସଂକଟ ? ଏହା ମଧ୍ୟ ଅର୍ଥିକ ସଂକଟର ପ୍ରଭାବ। ଶୀତ ରାତିରେ ବିଜୁଳି ଆବଶ୍ୟକତା କମ୍‌ ଥିବାରୁ ଗତ ସଂଧ୍ୟାରେ ଅନେକ ବିଦ୍ୟୁତ୍‌ ଉତ୍ପାଦନ ୟୁନିଟ ବନ୍ଦ କରି ଦିଆଯାଇଥିଲା। ଉଦ୍ଦେଶ୍ୟ ଥିଲା ଇନ୍ଧନ ଖର୍ଚ୍ଚ କମାଇବା। ଆଜି ସକାଳେ ସିଷ୍ଟମ ଚାଲୁ କରିବା ମାତ୍ରେ ଫ୍ରିକୁଏନ୍‌ସୀ ପରିବର୍ତ୍ତନ ହୋଇଥିଲା। ଭୋଲ୍‌ଟେଜ ଅସ୍ଥିରତା ଯୋଗୁଁ ଗୋଟିଏ ପରେ ଗୋଟିଏ ସିଷ୍ଟମ ବନ୍ଦ ହୋଇ ଯାଇଥିଲା। ବିପରୀତ ଫଳ ଦେଇଥିଲା ଇନ୍ଧନ ଖର୍ଚ୍ଚ କମାଇବାର ଉଦ୍ୟମ।

ବିଦ୍ୟୁତ୍‌ ନଥିବାରୁ ଦେଶବ୍ୟାପୀ ବିଭିନ୍ନ ସେବା ପ୍ରଭାବିତ ହୋଇଛି। ଲାହୋରରେ ଅରେଞ୍ଜ ଟ୍ରେନ୍‌ ଲାଇନ୍‌ ସର୍ଭିସ ବନ୍ଦ କରି ଦିଆଯାଇଛି। ଲୋକେ ହନ୍ତସନ୍ତ ହେଉଛନ୍ତି। ଇସଲାମାବାଦରେ ୧୧୭ ଗ୍ରୀଡ ଷ୍ଟେସନ୍‌ରେ ବିଜୁଳି ନାହିଁ। ପେଶାଓ୍ଵାର ବି ଅନ୍ଧାରରେ । ବାଲୋଚିସ୍ତାନର କ୍ୱେଟା ସମେତ ୨୨ ଜିଲ୍ଲାରେ ବିଜୁଳି ନାହିଁ। ୨୦୨୧ରେ ବୈଷୟିକ ତ୍ରୁଟି ଯୋଗୁଁ ପାକିସ୍ତାନ ସିନ୍ଧ ପ୍ରୋଭିନ୍ସରେ ହଠାତ ବ୍ଲାକ ଆଉଟ ହୋଇଥିଲା। ଗୋଟିଏ ସେକେଣ୍ଡ ଭିତରେ ୫୦ଟି ସିଷ୍ଟମ ବନ୍ଦ ହୋଇ ଯାଇଥିଲା। ଏଥର ପୂରା ପାକିସ୍ତାନରେ ରାଜୁତି କରିଛି ଅନ୍ଧାର।

ଘୋର ଅର୍ଥନୈତିକ ସଂକଟ ଦେଇ ଗତି କରୁଛି ପାକିସ୍ତାନ। ପରମାଣୁ ଶକ୍ତି ସଂପନ୍ନ ପାକିସ୍ତାନ ପାଖରେ ଏବେ ଖାଇବାକୁ ନାହିଁ। ଗହମ ପାଇଁ ଲୋକେ ବାଡ଼ିଆବାଡ଼ି ହେଉଥିବାର ଦୃଶ୍ୟ ସାମ୍ନାକୁ ଆସୁଛି। ଗ୍ୟାସ ଆଉ ପେଟ୍ରେଲ ବି ସରିଗଲାଣି । ଏବେ ବିଜୁଳି ସଂକଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.