୧୪ ଦିନର ବନ୍ଦୀ ଜୀବନ ପରେ ପ୍ରିନସେସ୍ ଡାଇମଣ୍ଡ ଜାହାଜରୁ ମୁକ୍ତ ହେଉଛନ୍ତି ଯାତ୍ରୀ
୧୪ ଦିନର ବନ୍ଦୀ ଜୀବନ ପରେ ପ୍ରିନସେସ୍ ଡାଇମଣ୍ଡ ଜାହାଜରୁ ମୁକ୍ତ ହେଉଛନ୍ତି ଯାତ୍ରୀ। ପ୍ରଥମ ପର୍ଯ୍ୟାୟରେ ୫ ଶହ ଯାତ୍ରୀ ଜାହାଜରୁ ଓହ୍ଲାଇଛନ୍ତି। ଏମାନଙ୍କ ରିପୋର୍ଟ ନେଗେଟିଭ୍ ଥିଲା । ୧୪ଦିନର କ୍ୱାରେଣ୍ଟାଇନ୍ ପରେ ଏମାନଙ୍କୁ ମୁକ୍ତ କରାଯାଇଛି। କରୋନା ଆକ୍ରାନ୍ତ ହୋଇନଥିବା ଅନ୍ୟ ଯାତ୍ରୀମାନେ ପର୍ଯ୍ୟାୟ କ୍ରମେ ବାହାରକୁ ଆସିବେ। ଜାପାନ ୟୋକହାମା ବନ୍ଦରରେ ଯାତ୍ରୀବାହୀ ଜାହାଜ ଡାଇମଣ୍ଡ ପ୍ରିନସେସ୍ ଅଟକି ରହିଛି। ଏଥିରେ ଯାତ୍ରୀ ଓ କ୍ରୀଉ ମେମ୍ବରଙ୍କୁ ମିଶାଇ ମୋଟ ୩ ହଜାର ୭୧୧ ଜଣ ଥିଲେ। ଏଥିରେ ୧୩୮ ଜଣ ଭାରତୀୟ ମଧ୍ୟ ଅଛନ୍ତି। ଏମାନଙ୍କ ମଧ୍ୟରେ ୧୩୨ ଜଣ କ୍ରୀଉ ସଦସ୍ୟ ହୋଇଥିବା ବେଳେ ୬ ଜଣ ଯାତ୍ରୀ। ୧୩୮ ଭାରତୀୟଙ୍କ ମଧ୍ୟରୁ କିଛି କରୋନା ଆକ୍ରାନ୍ତ ଅଛନ୍ତି। ଜାହାଜରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫୪୨ ଜଣଙ୍କ ରିପୋର୍ଟ ପଜିଟିଭ୍ ରହିଛି। ବନ୍ଦୀ ଜୀବନ କାଟୁଥିବା ଯାତ୍ରୀମାନେ ମୁକ୍ତି ପାଇଁ ନିଜନିଜ ଦେଶକୁ ଆକୁଳ ନିବେଦନ କରୁଛନ୍ତି। ଅନ୍ୟପଟେ ଚୀନ୍ରେ ମୃତ୍ୟୁ ସଂଖ୍ୟା ୨ହଜାର ଟପିଯାଇଛି। ୨୦୦୪ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୪ ହଜାର ୧୮୫ରେ ପହଞ୍ଚିଛି। ସେହିପରି ଚୀନ୍ ବାହାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ରେ ପହଞ୍ଚିଛି। ଅନ୍ୟପଟେ ହଂକଂରେ ଦ୍ୱିତୀୟ ମୁଣ୍ଡ ନେଇଛି ଘାତକ କରୋନା ଭାଇରସ୍ ।