ହାଥରସ ପୀଡ଼ିତାଙ୍କ ମୃତ୍ୟୁ ଖବର ଶୁଣି ରାଗରେ ନିଆଁ ହୋଇଗଲେ ପବନ ଜହ୍ଲାଦ, କହିଲେ- ଏମାନଙ୍କୁ ମୁଁ ଫାଶୀ ଦେବି

ହାଥରସର ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶ ସରକାର ଓ ଉତ୍ତର ପ୍ରଦେଶ ପୋଲିସର ଅସଲ ଚେହେରା ସାମ୍ନାକୁ ଆସିଛି। ଝିଅର ମୃତଦେହ ଦେଖିବା ପାଇଁ ପରିଜନ କାନ୍ଦି ବୋବାଇ ଚିଲ୍ଲାଉଥିଲେ ବି ନିର୍ଦ୍ଦୟ ପୋଲିସ ତାଙ୍କ ଉପରେ ଟିକେ ବି ଦୟା କଲା ନାହିଁ। ମାନବିକତାର ସମସ୍ତ ସୀମା ପାର କରି ପୋଲିସ କର୍ମଚାରୀମାନେ ରାତି ୨.୪୫ରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରିଥିଲେ। ଏହି ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳିଛି।
ଏହି ମାମଲା ବିଷୟରେ ଜାଣିବା ପରେ ନିର୍ଭୟା ଦୋଷୀଙ୍କୁ ଫାଶୀରେ ଝୁଲାଇଥିବା ଜହ୍ଲାଦ ପବନ ପ୍ରବଳ ରାଗିଯାଇଛନ୍ତି। ସେ ରାଗରେ ନିଆଁ ହୋଇ କହିଛନ୍ତି ଏ ହାତରେ ଏବେ ବି ବହୁତ ଜୀବନ ଅଛି। ଉପରବାଲା ଚାହିଁଲେ ସେ ଏହି ୪ ଦୋଷୀଙ୍କୁ ବି ଫାଶୀଖୁଣ୍ଟରେ ଝୁଲାଇବେ। ସୁଯୋଗ ମିଳିଲେ ଏବେ ହିଁ ସେ ଉକ୍ତ ଦୋଷୀଙ୍କୁ ଫାଶୀ ଦେବେ। ସେ ପୀଡ଼ିତାଙ୍କ ମା’ଙ୍କ ସାଥ୍ ଦେବେ ବୋଲି କହିଛନ୍ତି।
ପବନ ଜହ୍ଲାଦ କହିଛନ୍ତି ମୁଁ ଯେତେବେଳେ ନିର୍ଭୟା ଦୋଷୀଙ୍କୁ ଦଣ୍ଡ ଦେଇଥିଲି ମୁଁ ଜାଣିଥିଲି ଯେ ସାରା ଦେଶ ଏହି ଘଟଣାକୁ ଦେଖୁଛି। ବଦମାସ ଯୁବକମାନେ ଏହାକୁ ଦେଖୁଛନ୍ତି ଓ ଶୁଣୁଛନ୍ତି। ଏହା ଦେଖିବା ପରେ ସେମାନେ ଆଗକୁ ଏଭଳି ଭୁଲ କରିବା ପୂର୍ବରୁ ପୁନର୍ବାର ଚିନ୍ତା କରିବେ। କିନ୍ତୁ ହାଥରସ୍ ଘଟଣା ଶୁଣିବା ପରେ ମୁଁ ବୁଝିଗଲି ଯେ ଏମାନେ କେବେ ବି ସୁଧୁରିବେ ନାହିଁ। ଏମାନଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ମୁଁ ସରକାରଙ୍କୁ ଅନୁରୋଧ କରୁଛି ବୋଲି କହିଛନ୍ତି ପବନ ଜହ୍ଲାଦ। ଏମାନଙ୍କୁ ଫାଶୀ ଦେବାକୁ ମୋତେ ସୁଯୋଗ ମିଳୁ ବୋଲି ସେ କହିଛନ୍ତି।