ବିହାର: ହସ୍ପିଟାଲ ଭିତରେ ଗୁଳିକାଣ୍ଡ, ସ୍ତ୍ରୀର ଡେଲିଭରି ପାଇଁ ଆସିଥିବା ବ୍ୟକ୍ତିଙ୍କୁ ଗୁଳି ମାରିଲେ ଅଜଣା ଯୁବକ

ବିହାରର ଆରା ସହରରେ ଏକ ଗୁଳିକାଣ୍ଡ ଘଟିଛି। ଏଠାରେ ଏକ ହସ୍ପିଟାଲ ଭିତରେ ପଶି ଜଣେ ଅଜଣା ଯୁବକ ରୋଗୀଙ୍କ ସମ୍ପର୍କୀୟଙ୍କୁ ଗୁଳି ମାରିଛନ୍ତି।

ବିହାରର ଆରା ସହରରେ ଏକ ଗୁଳିକାଣ୍ଡ ଘଟିଛି। ଏଠାରେ ଏକ ହସ୍ପିଟାଲ ଭିତରେ ପଶି ଜଣେ ଅଜଣା ଯୁବକ ରୋଗୀଙ୍କ ସମ୍ପର୍କୀୟଙ୍କୁ ଗୁଳି ମାରିଛନ୍ତି। ଏଥିରେ ବ୍ୟକ୍ତି ଜଣକ ଆହତ ହୋଇଛନ୍ତି, ତାଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାରୁ ପ୍ରକାଶ ଯେ ପୀଡ଼ିତ ବ୍ୟକ୍ତି ନିଜ ଗର୍ଭବତୀ ସ୍ତ୍ରୀର ଡେଲିଭରି ପାଇଁ ହସ୍ପିଟାଲ ଆସିଥିଲେ।

ଏହି ଘଟଣାର ଏକ ଭିଡିଓ ଫୁଟେଜ୍‌ ମଧ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳୁଛି ଯେ ହଳଦିଆ ଟି-ସାର୍ଟ ଏବଂ ଜିନ୍ସ ପିନ୍ଧିଥିବା ଜଣେ ଯୁବକ ମୋବାଇଲ୍‌ ଫୋନ୍‌ରେ କଥା ହୋଇ ହସ୍ପିଟାଲ ଭିତରେ ପଶୁଛନ୍ତି। ଏହାପରେ ସେ ହଠାତ୍‌ ବ୍ୟକ୍ତିଙ୍କ ଉପରକୁ ଗୁଳି ଚଳାଉଛନ୍ତି। ଗୁଳି ମାରିବା ପରେ ସେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଉଛନ୍ତି।

ଆକ୍ରମଣକାରୀ ପୀଡ଼ିତଙ୍କ ଉପରେ ଦୁଇଟି ଗୁଳି ଚଳାଇଛନ୍ତି, ଯେଉଁଥିରେ ସେ ଗମ୍ଭୀର ରୂପେ ଆହତ ହୋଇଛନ୍ତି। ଏହି ଘଟଣା ପରେ ମେଡିକାଲ ଟିମ୍‌ ବ୍ୟକ୍ତିଙ୍କର ତୁରନ୍ତ ଅପରେସନ କରି ଗୁଳିକୁ ବାହାର କରିଥିଲେ। ଘଟଣାଟି ସ୍ଥାନୀୟ ଏକ ଘରୋଇ ନର୍ସିଂହୋମ୍‌ର। ଗୁଳିକାଣ୍ଡ ପରେ ଲୋକେ ହୋ-ହଲ୍ଲା କରିବାରୁ ଆକ୍ରମଣକାରୀ ସହଜରେ ଖସି ପଳାଇବାକୁ ସକ୍ଷମ ହୋଇଥିଲେ।

ଆହତ ବ୍ୟକ୍ତିଙ୍କ ନାଁ ରଙ୍ଗନାଥ ଚୌହାନ, ସେ ପାଟନା ଜିଲ୍ଲା ବାଲି ଗାଁର ବାସିନ୍ଦା। ରଙ୍ଗନାଥ ନିଜ ସ୍ତ୍ରୀ ଅଞ୍ଜଳି କୁମାରଙ୍କ ଡେଲିଭରି ପାଇଁ ଧରହରାସ୍ଥିତ ଏକ ନର୍ସିଂହାମ୍‌କୁ ଆସିଥିଲେ। ଏହି ସମୟରେ ଗୁଳିକାଣ୍ଡ ଘଟିଥିଲା।

ସେପଟେ ଗୁଳିମାଡ଼ ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି। ସବ୍‌ ଇନ୍ସପେକ୍ଟର ଅନିଲ ସିଂ କହିଛନ୍ତି, ଆହତ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.