Below header

ମୋବାଇଲ ନେଇ କେଦାରନାଥ ମନ୍ଦିର ଭିତରକୁ ପ୍ରବେଶ ମନା, ପ୍ରପୋଜାଲ ଭିଡିଓ ଭାଇରଲ ପରେ ଏପରି କାର୍ଯ୍ୟାନୁଷ୍ଠାନ ନେଲା ମନ୍ଦିର କମିଟି

ଆଉ କେଦାରନାଥ ମନ୍ଦିରକୁ ମୋବାଇଲ ନେଇ ଯାଇପାରିବେନି ତୀର୍ଥଯାତ୍ରୀ । ମନ୍ଦିର ପରିସରରେ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି କରିବା ନେଇ ପ୍ରତିବନ୍ଧକ ଲଗାଇଛି ମନ୍ଦିର କମିଟି । ଏହାକୁ ନ ମାନିଲେ ଅଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି ।

ପ୍ରସିଦ୍ଧ କେଦାରନାଥ ମନ୍ଦିରରେ ଫଟୋଗ୍ରାଫି କିମ୍ବା ଭିଡିଓଗ୍ରାଫି କରିପାରିବେନି ଶ୍ରଦ୍ଧାଳୁ । ମନ୍ଦିରରେ ମୋବାଇଲ ଫୋନ ନେଇ ପ୍ରବେଶ କରିବା, ଫଟୋ ନେବା, ଭିଡିଓ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ସୋସିଆଲ ମିଡିଆରେ ବିବାଦୀୟ ଭିଡିଓ ଭାଇରଲ ପରେ ଏହି ନିଷ୍ପତ୍ତି ନେଇଛି । ଏନେଇ ମନ୍ଦିର ପରିସରରେ ସୂଚନା ଜାରି କରାଯାଇଛି । ଆଉ କୌଣସି ଲୋକ ମନ୍ଦିର ଭିତରକୁ ମୋବାଇଲ ନେଇ ଯାଇପାରିବେ ନାହିଁ ।

ସୂଚନା ଅନୁସାରେ, ବଦ୍ରିନାଥ – କେଦାରନାଥ ମନ୍ଦିର ସମିତି ମିଶି ମନ୍ଦିର ପରିସରରେ ଏକ ସୂଚନା ଜାରି କରିଛନ୍ତି ଯେ, ମନ୍ଦିର ପରିସର ଭିତରକୁ ମୋବାଇଲ ଫୋନ ନେଇ ପ୍ରବେଶ କରନ୍ତୁ ନାହିଁ । ମନ୍ଦିର ପାଖରେ କୌଣସି ପ୍ରକାରର ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି କରିବା ସଂପୂର୍ଣ୍ଣ ରୂପେ ବନ୍ଦ । ଏହା ଏକ ଧାର୍ମିକ ସ୍ଥାନ । ଏଠାକୁ ଲୋକେ ଆସ୍ଥାର ସହ ଆସୁଛନ୍ତି । ପୂର୍ବରୁ ମନ୍ଦିରର ଗର୍ଭଗୃହରେ ପ୍ରବେଶ ଆଗରୁ ଯାତ୍ରୀଙ୍କୁ ଫୋନ ଅଫ ସ୍ୱିଚ ଅଫ କରି ଯିବାକୁ କୁହାଯାଉଥିଲା । କିନ୍ତୁ ଏବେ ସଂପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି । ଆଉ ଯେଉଁମାନେ ଏହି ନିର୍ଦ୍ଦେଶକୁ ଅବମାନନା କରିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଶ୍ରୀ ବଦ୍ରିନାଥ କେଦାରନାଥ ମନ୍ଦିର ସମିତିର ଅଧ୍ୟକ୍ଷ ଅଜୟ ଅଜେନ୍ଦ୍ର କହିଛନ୍ତି, ଗତ କିଛିଦିନ ହେଲାଣି ତୀର୍ଥଯାତ୍ରୀ ମନ୍ଦିର ପରିସରରେ ଅଭଦ୍ର ଭାବେ ଭିଡିଓ ଓ ରିଲ୍ସ କରୁଛନ୍ତି । ତେଣୁ ଏହ ଚେତାବନୀ ବୋର୍ଡ ଲଗାଯାଇଛି ।

ସୂଚନାଯୋଗ୍ୟ, କେଦାରନାଥ ଧାମରେ ଜଣେ ଯୁବତୀ ଜଣେ ଯୁବକଙ୍କୁ ପ୍ରପୋଜ କରୁଥିବାର ଭିଡିଓ ଭାଇରଲ ହୋଇଥିଲା । ମନ୍ଦିର ବାହାର ପରିସରରେ ଯୁବତୀ ଜଣକ ଆଣ୍ଠେଇ ଯୁବକଙ୍କୁ ପ୍ରେମ ନିବେଦନ କରୁଥିଲେ । ଯାହାକୁ ଅନ୍ୟ ଜଣେ ବନ୍ଧୁ ଭିଡିଓ ସୁଟ୍ କରୁଥିଲେ । ଏହାଛଡା ଅନ୍ୟ କେତେକ ଲୋକେ ମଧ୍ୟ ଏହାର ଭିଡିଓ ନେଉଥିଲେ । ଏହି ଭିଡିଓ ଭାଇରଲ ହେବା ପରେ ଅନେକ ଲୋକ ପ୍ରଶଂସା କରିଥିଲେ ।

ହେଲେ କିଛି ଶ୍ରଦ୍ଧାଳୁ ଏହି ଭିଡିଓକୁ ଦେଖି ଖୁସି ନଥିଲେ । ଏହା ଭକ୍ତଙ୍କ ଧର୍ମୀୟ ଭାବନାକୁ କ୍ଷୁର୍ଣ୍ଣ କରୁଛି ବୋଲି ଅଭିଯୋଗ କରିଥିଲେ । ପରେ ମନ୍ଦିର କମିଟି ପକ୍ଷରୁ ଏମିତି ନିଷ୍ପତ୍ତି ନିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.