ସ୍ୱାସ୍ଥ୍ୟ ବିଭାଗର ସାଂଘାତିକ ତ୍ରୁଟି: ବିହାରର କୋଭିଡ୍‌ ଟିକାକରଣ ତାଲିକାରେ ମୋଦି, ସୋନିଆ, ପ୍ରିୟଙ୍କା ଚୋପ୍ରାଙ୍କ ନାଁ

କୋଭିଡ୍‌ ଡୋଜ୍‌ ତାଲିକାରେ ନରେନ୍ଦ୍ର ମୋଦି, ସୋନିଆ ଗାନ୍ଧି, ଅମିତ ଶାହ ଓ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ନାଁ। ବିହାରର ଅରୱଲ ଜିଲ୍ଲାସ୍ଥିତ କାର୍ପି ବ୍ଲକରେ କୋଭିଡ୍‌ ଟିକାକରଣକୁ ନେଇ ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୋଭିଡ୍‌ ଟିକାକରଣ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଅଭିନେତା ଅକ୍ଷୟ କୁମାର ଓ ପ୍ରିୟଙ୍କା ଚୋପ୍ରାଙ୍କ ନାଁ ରହିଛି।

ରାଷ୍ଟ୍ରୀୟ ଜନତା ଦଳ ପକ୍ଷରୁ ଟ୍ଵିଟ୍‌ କରାଯିବା ପରେ କାର୍ପି କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେଇଥିବା ବ୍ୟକ୍ତିଙ୍କ ତାଲିକା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୋସିଆଲ୍‌ ମିଡିଆରେ ଏହି ଘଟଣା ପ୍ରଚାରିତ ହେବା ପରେ ଦୁଇ ଜଣ କମ୍ପ୍ୟୁଟର ଅପରେଟରଙ୍କୁ ନିଲମ୍ବନ କରାଯାଇଛି। ସ୍ଥାନୀୟ ପ୍ରଶାସନ ଏବେ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।


ଟିକାକରଣ ପୋର୍ଟାଲରେ ଟିକାକରଣ କରିଥିବା ଲୋକଙ୍କ ନାଁ ଯାଞ୍ଚ ବେଳେ ଅଧିକାରୀଙ୍କୁ କ୍ୟାଟ୍ରିନା କୈଫ୍‌, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସମେତ ରାଜନେତା ଓ ଫିଲ୍ମ ଷ୍ଟାରଙ୍କ ନାଁ ମିଳିଛି। ତାଲିକା ମୁତାବକ, ଏ ସମସ୍ତ ବ୍ୟକ୍ତି ବିହାରର ଅରଓ୍ଵଲ ଜିଲ୍ଲାରେ କରୋନା ଟିକା ନେଇଛନ୍ତି।

ଏ ନେଇ ଅରୱଲ୍‌ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଜେ ପ୍ରିୟଦର୍ଶିନୀ କହିଛନ୍ତି, ଏହା ଏକ ଗୁରୁତର ମାମଲା। ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହା ଦ୍ୱାରା ଏହି ତଥ୍ୟ ଲିକ୍‌ ହୋଇଛି, ତାଙ୍କ ବିଷୟରେ ଜଣାପଡ଼ିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣାକୁ ନେଇ ମାମଲା ରୁଜୁ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମାଜିଷ୍ଟ୍ରେଟ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.