‘ହାଓଡି ମୋଦି’, ୨୨ ତାରିଖରେ ଆମେରିକାରେ ପୁଣି ଦେଖିବାକୁ ମିଳିବ ମୋଦି କ୍ରେଜ୍‌

କେନ୍ୟୁଜ୍ (ବ୍ୟୁରୋ):  ଆମେରିକାରେ ପୁଣି ଦେଖିବାକୁ ମିଳିବ ମୋଦି କ୍ରେଜ୍‌। ଆସନ୍ତା ୨୨ ତାରିଖରେ ହଷ୍ଟନରେ ରହିଛି ମୋଦିଙ୍କ ମେଗା ଇଭେଣ୍ଟ ‘ହାଓଡି ମୋଦି’ କାର୍ଯ୍ୟକ୍ରମ। ଏହି ଇଭେଣ୍ଟରେ ଆମେରିକାର ରହୁଥିବା ୫୦ ହଜାର ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କାର୍ଯ୍ୟକ୍ରମରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ।

ଏ ନେଇ ଆଜି ହ୍ଵାଇଟ୍‌ ହାଉସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଫ୍ରାନ୍‌ସରେ ଜି-୭ ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ସାକ୍ଷାତ ବେଳେ ଟ୍ରମ୍ପଙ୍କୁ ଏହି ପ୍ରସ୍ତାବ ଦେଇଥିଲେ ମୋଦି। ପ୍ରସ୍ତାବକୁ ଟ୍ରମ୍ପ ମଧ୍ୟ ଗ୍ରହଣ କରିଥିଲେ। ତେବେ ହ୍ଵାଇଟ୍‌ ହାଉସ୍‌ ସ୍ପଷ୍ଟ କରିବା ପରେ ମୋଦି ଏହାକୁ ସ୍ୱାଗତ କରିଛନ୍ତି। ଟ୍ଵଟ୍‌ କରି କହିଛନ୍ତି, ଟ୍ରମ୍ପଙ୍କ ଉପସ୍ଥିତି ଭାରତ ଓ ଆମେରିକା ମଧ୍ୟରେ ସଂପର୍କର ସୁଦୃଢତାକୁ ବୟାନ କରୁଛି। ସେହିପରି ଆମେରିକାର ଅର୍ଥନୀତିକୁ ଭାରତୀୟଙ୍କର ଯେଉଁ ଅବଦାନ ରହିଛି, ତାକୁ ମଧ୍ୟ ସ୍ୱୀକୃତି ଦେଉଛି ଟ୍ରମ୍ପଙ୍କ ଯୋଗଦାନ।

ପ୍ରଥମ ଥର ପାଇଁ କୌଣସି ଆମେରିକୀୟ ରାଷ୍ଟ୍ରପତି ଆମେରିକାରେ ହଜାର ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ। ଅନ୍ୟପଟେ ଏହି ଗସ୍ତରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମଧ୍ୟ ସାଧାରଣ ପରିଷଦ ବୈଠକରେ ଯୋଗ ଦେବେ। ସେ ମଧ୍ୟ ଟ୍ରମ୍ପଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।