୧୦୦୦ ଟଙ୍କା ଜରିମାନା ଗଣିଲା ପରେ ବି ମାସ୍କ ପିନ୍ଧିଲେନି ଏହି ବ୍ୟକ୍ତି, ପର ଦିନ ପୁଣି କଟିଲା ୧୦ ହଜାର ଟଙ୍କାର ଚାଲାଣ

କରୋନା ସଂକ୍ରମଣ ସାରା ଦେଶରେ ପୁଣିଥରେ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ପୋଲିସ ପ୍ରଶାସନ ଓ ସରକାର ଉଭୟ ଲୋକଙ୍କୁ ମାସ୍କ ପିନ୍ଧିବାକୁ ତଥା ସମସ୍ତ କୋଭିଡ୍‌ ନିୟମ ପାଳନ କରିବାକୁ ପରାମର୍ଶ ଦେଉଛନ୍ତି। କିନ୍ତୁ ଏବେ ବି କିଛି ଅମାନିଆ ମାସ୍କ ନ ପିନ୍ଧି ଖୁଲମ୍‌ଖୁଲା ବାହାରେ ବୁଲୁଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତି ମାସ୍କ ନ ପିନ୍ଧିଥିବାରୁ ପ୍ରଥମ ଦିନରେ ୧୦୦୦ ଟଙ୍କା ଓ ଦ୍ୱିତୀୟ ଦିନରେ ୧୦ ହଜାର ଟଙ୍କା ଜରିମାନା ଦେଇଛନ୍ତି।

mask2
Image Credit: aajtak

ଉତ୍ତର ପ୍ରଦେଶର ଦେବରିଆର ବରିୟାରପୁର ଥାନା ଅଞ୍ଚଳର ମହୁଆ ଗ୍ରାମ ନିବାସୀ ଅମରଜିତ୍‌ ଯାଦବ ରବିବାର ନିଜ କ୍ରେଟା କାରରେ ବିନା ମାସ୍କରେ ନିର୍ବାଚନ ପ୍ରଚାର ପାଇଁ ଯାଉଥିଲେ। ଏ ଅବସରରେ ରାସ୍ତାରେ ଚେକିଂ ବେଳେ ଧରାପଡ଼ି ମାସ୍କ ପିନ୍ଧି ନଥିବାରୁ ୧ ହଜାର ଟଙ୍କା ଜରିମାନା ଦେଇଥିଲେ। ଏହା ପରେ ମଧ୍ୟ ସେ ପୋଲିସର ନିର୍ଦ୍ଦେଶକୁ ଅବମାନନା କରିଥିଲେ ଓ ସୋମବାର ପୁଣି ମାସ୍କ ନ ପିନ୍ଧି ବାହାରକୁ ଯାଇଥିଲେ। ଫଳରେ ପୋଲିସ ଚେକିଂରେ ଧରା ପଡ଼ିଥିଲେ ଓ ତାଙ୍କ ଉପରେ ଏଥରକ ୧୦ ହଜାର ଟଙ୍କା ଜରିମାନା ଲାଗିଛି। ତେବେ ଉତ୍ତର ପ୍ରଦେଶରେ କୌଣସି ବ୍ୟକ୍ତିଙ୍କ ଉପରେ ମାସ୍କ ନ ପିନ୍ଧିବା ଯୋଗୁ ଜରିମାନା ଲାଗିବାର ଏହା ପ୍ରଥମ ମାମଲା।

ଏନେଇ ଦେବରିଆର ଏସ୍‌ପି ଡାକ୍ତର ଶ୍ରୀପତି ମିଶ୍ର କହିଛନ୍ତି, ଗତ ୩୬ ଘଣ୍ଟା ହେବ ଜିଲ୍ଲାରେ ମାସ୍କ ଚେକିଂ ଜୋରଦାର ଚାଲିଛି। ଇତି ମଧ୍ୟରେ ୪୨୮ ଜଣଙ୍କ ଠାରୁ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି। ଆଗକୁ ମଧ୍ୟ ଅମାନିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଶ୍ରୀ ମିଶ୍ର।

You might also like