ରାଜନୀତି ଛାଡ଼ିବାକୁ ଘୋଷଣା କଲେ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା, କହିଲେ- ‘ଆଉ ମୁଁ ନେତା ନୁହେଁ’

ରାଜନୀତି ଛାଡ଼ିବେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ। ରାଜନୀତିରୁ ସନ୍ନ୍ୟାସ ନେବା ପାଇଁ ଶର୍ମିଷ୍ଠା ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ, ସକ୍ରିୟ ରାଜନୀତି ଛାଡ଼ିବା ନିଷ୍ପତ୍ତି ଉପରେ ଉଠୁଥିବା ପ୍ରଶ୍ନର ମଧ୍ୟ ସେ ଉତ୍ତର ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ପୂର୍ବରୁ ହିଁ କଂଗ୍ରେସର ହାତ ଛାଡ଼ିସାରିଛନ୍ତି। ସେ ଚଳିତବର୍ଷ ମମତା ବାନାର୍ଜୀଙ୍କ ଟିଏମ୍‌ସିରେ ଯୋଗ ଦେଇଛନ୍ତି। ଏବେ ୨୫ ସେପ୍ଟେମ୍ବରରେ ଏକ ପୋଷ୍ଟରେ ଜବାବ ଦେବା ଅବସରରେ ଶର୍ମିଷ୍ଠା ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି।

ଶର୍ମିଷ୍ଠା ଲେଖିଛନ୍ତି, ବହୁତ ଧନ୍ୟବାଦ। କିନ୍ତୁ ମୁଁ ଏବେ ଆଉ ରାଜନେତା ନୁହେଁ। ମୁଁ ରାଜନୀତି ଛାଡ଼ିସାରିଛି। ମୁଁ ଏବେ କଂଗ୍ରେସର ଜଣେ ସଦସ୍ୟ। କିନ୍ତୁ ସକ୍ରିୟ ରାଜନୀତିରେ ଆଉ ମୁଁ ନାହିଁ। ଦେଶର ସେବା କରିବାର ଆହୁରି ଅନେକ ବାଟ ଅଛି।

ଏ ଅବସରରେ ଶର୍ମିଷ୍ଠା ମୁଖାର୍ଜୀଙ୍କୁ ଜଣେ ବ୍ୟକ୍ତି କହିଥିଲେ ଯେ ସେ ଭବିଷ୍ୟତରେ ଅନ୍ୟ କୌଣସି ପାର୍ଟିରେ ଯୋଗେ ଦେବେ କି। ଏହାର ଉତ୍ତରରେ ଶର୍ମିଷ୍ଠା କହିଛନ୍ତି, ମୁଁ ରାଜନୀତି ଛାଡ଼ୁଛି। ଏଭଳି ସ୍ଥିତିରେ କଂଗ୍ରେସ, ଯାହା ମୋ ଘର ମୁଁ ତାକୁ ଛାଡ଼ିବି କାହିଁକି କୁଆଡ଼େ ଯିବି। ମୁଁ ପିଲାବେଳୁ ରାଜନୀତି ଦେଖୁଛି। ଆଉ କୌଣସି ଲୋକ ମୋତେ ନିଜ ଆଡ଼କୁ ଆକର୍ଷିତ କରିପାରିବେ ନାହିଁ। ମୁଁ ଆଗକୁ ଶାନ୍ତିରେ ବଞ୍ଚିବାକୁ ଚାହୁଁଛି ବୋଲି କହିଛନ୍ତି ଶର୍ମିଷ୍ଠା।