ପାଦ ଛୁଇଁବା ପାଇଁ ନଇଁଲା ଗର୍ଭବତୀ ଝିଅ, ହେଲେ ବାପ କାଟିଦେଲା ବେକ

ନିଜ ଇଛାରେ ବିବାହ କରିବା ପଡିଲା ମହଙ୍ଗା । ବାପାର ହାତରେ ଗଲା ଝିଅର ଜୀବନ । ଅନର କିଲିଂ ଭଳି ଏକ ହୃଦୟ ବିଦାରକ ଘଟଣା ପୁଣିଥରେ ସାମ୍ନାକୁ ଆସିଛି ମୁମ୍ବାଇରୁ । ଯେଉଁଠି ଏକ ୨୦ ବର୍ଷର ଗର୍ଭବତୀ ଯୁବତୀକୁ ଅତି ନିଷ୍ଠୁର ଭାବେ ହତ୍ୟା କରାଯାଇଛି । ଆଉ ଏହି ହତ୍ୟା  ଅନ୍ୟ କେହି ନୁହେଁ ବରଂ ଝିଅର ନିଜ ଜନ୍ମକଲା ବାପା ହିଁ ଘଟାଇଛନ୍ତି । ଯେତେବେଳେ ଝିଅ ନିଜ ବାପାଙ୍କ ପାଦ ଛୁଇଁ ଆଶୀର୍ବାଦ ନେବାକୁ ତଳକୁ ନଇଁଥିଲେ ସେତେବେଳେ ନିର୍ଦ୍ଦୟ ବାପ ଝିଅର ଗଳାରେ ଛୁରାମାଡ଼ କରିଥିଲେ। ପୋଲିସ ଅଭିଯୁକ୍ତ ପିତାକୁ ଗିରଫ କରିବା ସହ  ଘଟଣାରେ ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ, ମୃତକ ଜଣଙ୍କ ହେଉଛନ୍ତି ମିନାକ୍ଷୀ ଚୌରାସିୟା । ପିତାଙ୍କ ଇଛା ବିରୋଧରେ ଚଳିତ ବର୍ଷ ଫେବୃୟାରୀ ମାସରେ ନିଜ ପ୍ରେମିକ ବୃଜେସ ଚୌରାସିଆଙ୍କୁ ବିବାହ କରିଥିଲେ ମିନାକ୍ଷୀ । ତେବେ ଏହି ବିବାହକୁ  ବିରୋଧ କରୁଥିଲେ ବାପା ରାଜକୁମାର ଚୌରାସିୟା । ଏବଂ ମିନାକ୍ଷୀଙ୍କ ବାହାଘର ଅନ୍ଯ ସ୍ଥାନରେ ସ୍ଥିର କରୁଥିଲେ। ଏହିସବୁ ବାହାଘରରେ ମିନାକ୍ଷୀ କିନ୍ତୁ ରାଜି ନଥିଲେ ସେଥିପାଇଁ ସେ ନିଜ ପ୍ରେମିକ ବୃଜେସଙ୍କ ସହ ପଳାଇ ମଧ୍ୟପ୍ରଦେଶର ସତନା ଅଂଚଳରେ ରହୁଥିଲେ । ବାହାଘର ପରେ ପିତାଙ୍କ ସହ ମିନାକ୍ଷୀଙ୍କର ଦେଖା ମଧ୍ୟ ହୋଇଥିଲା । ହେଲେ ମିନାକ୍ଷୀଙ୍କୁ ଗାଁ କୁ ଯିବାକୁ ବାପା ମନାକରିଥିଲେ । ଗାଁ କୁ ଗଲେ ସେଠାରେ ତାଙ୍କର ବେଜ୍ଜତି ହେବ ବୋଲି କହିଥିଲେ।

ତେବେ ଶନିବାର ସନ୍ଧ୍ୟାରେ ଅଭିଯୁକ୍ତ ରାଜକୁମାର ମିନାକ୍ଷୀଙ୍କୁ କପଡା କିଣିବା ପାଇଁ ପଇସା ଦେବାର ବାହାନା କରି ଦେଖା କରିବା ପାଇଁ କହିଥିଲେ ।  ମିନାକ୍ଷୀ ମଧ୍ୟ ବାପାଙ୍କୁ ଦେଖାକରିବାକୁ ଆସିଥିଲେ । କିନ୍ତୁ ମିନାକ୍ଷୀ ଯେତେବେଳେ ତାଙ୍କର ପାଦ ଛୁଇଁ ଆଶୀର୍ବାଦ ନେବାକୁ ଯାଇଥିଲେ ସେତେବେଳେ ସେ ଝିଅର ବେକରେ ଛୁରାମାଡ଼ କରିଥିଲେ । ଅନ୍ଯପଟେ କୁହାଯାଉଛି ଯେ ମିନାକ୍ଷୀଙ୍କ ଆସିବା ପରେ ତାଙ୍କ ପିତା କିଛି ପଇସା ଜାଣିଶୁଣି ତଳେ ପକାଇଦେଇଥିଲେ । ମିନାକ୍ଷୀ ଯେତେବେଳେ ସେହି ପଇସା ଉଠାଇବାକୁ ତଳକୁ ନଇଁ ଥିଲେ ଠିକ ସେହି ସମୟରେ ରାଜକୁମାର ଏକ ଧାରୁଆ ଅସ୍ତ୍ର ଦ୍ୱାରା ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।

ଏହି ଘଟଣା ପରେ ଅଭିଯୁକ୍ତ ପିତା ସେଠାରୁ ଫେରାର ହୋଇଯାଇଥିଲେ । ପରେ ତାଙ୍କ ମୋବାଇଲର ଲୋକେସନକୁ ଟ୍ରାକ କରି ଗିରଫ କରିଥିଲା ପୋଲିସ । ବର୍ତ୍ତମାନ ଜାତି,ଧର୍ମ ଏବଂ ମିଛ ଗରିମାର ନାମ ନେଇ ଏହିଭଳି ଆଉ କେତେଜଣ ନିରୀହ ଝିଅ ମାନଙ୍କୁ ହତ୍ୟା କରାଯିବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.