ସୀମା ଟପିଲା ବର୍ବରତା, ସପୁରୀ ଭିତରେ ବାଣ ପୂରାଇ ଗର୍ଭିଣୀ ହାତୀକୁ ଖୁଆଇଦେଲେ, ଚାଲିଗଲା ଦୁଇ ଦୁଇଟି ଜୀବନ

ଯେକୌଣସି ଲଜ୍ଜାଜନକ ଘଟଣାରେ ଅପରାଧୀକୁ ପଶୁ ସହ ତୁଳନା କରାଯାଏ। କିନ୍ତୁ କେରଳରେ ଲୋକମାନେ ଏକ ପଶୁ ସହ ଯେଉଁଭଳି କାଣ୍ଡ କରିଛନ୍ତି ତାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ସମ୍ପୂର୍ଣ୍ଣ ଘଟଣା ଶୁଣିବା ପରେ ଆପଣଙ୍କ ରକ୍ତ ଗରମ ହୋଇଯିବ। ଏଭଳି ବର୍ବରକାଣ୍ଡ କରିଥିବା ଲୋକଙ୍କ ପାଇଁ ଫାଶୀଦଣ୍ଡ ବି ବୋଧେ କମ୍‌ ହେବ। ଜଙ୍ଗଲରୁ ରାସ୍ତା ଭୁଲି ସହର ଆଡ଼କୁ ଚାଲି ଆସିଥିବା ଏକ ହାତୀ ଜାଣିନଥିଲା ଯେ ମଣିଷ ଉପରେ ବିଶ୍ୱାସ କରିବା ତା’ ଜୀବନର ସବୁଠୁ ବଡ଼ ଭୁଲ ହେବ।

elephant2

ମାମଲାଟି ଗତ ସପ୍ତାହର। ଏଠାରେ ଖାଦ୍ୟ ସନ୍ଧାନରେ ମଲ୍ଲାପୁରମ୍‌ ଜିଲ୍ଲା ଆଡ଼କୁ ଚାଲିଆସିଥିଲା ଏକ ଗର୍ଭିଣୀ ହାତୀ। ତାକୁ ଯିଏ ଯାହା ଖାଇବାକୁ ଦେଉଥିଲା ସେ ତାକୁ ଖୁବ୍‌ ଖୁସିରେ ଖାଇଦେଉଥିଲା। କିନ୍ତୁ ସେ ଜାଣିନଥିଲା ଯେ ତା’ ସହ ଏକ ବଡ଼ ଧୋକା ହେବାକୁ ଯାଉଛି। ଏଠାରେ କିଛି ଲୋକ ସପୁରୀ ଭିତରେ ବାଣ ଲୁଚାଇ ହାତୀକୁ ଖାଇବାକୁ ଦେଇଥିଲେ। ସେ ଫଳ ଖାଇବାକୁ ଚେଷ୍ଟା କରିବା ବେଳେ ବାଣଟି ତା’ ମୁହଁରେ ହିଁ ଫୁଟିଯାଇଥିଲା। ଅସହ୍ୟ ଯନ୍ତ୍ରଣାରେ ନୀରୀହ ହାତୀଟି ଏଣେତେଣେ ଧାଇଁବାକୁ ଲାଗିଥିଲା। ବିସ୍ଫୋରଣ ଯୋଗୁ ତା’ ମୁହଁରେ ଗଭୀର ଆଘାତ ଲାଗିଥିଲା। ସମ୍ପୂର୍ଣ୍ଣ ଅଞ୍ଚଳରେ ରକ୍ତ ବିଛାଡ଼ି ହୋଇପଡ଼ିଥିଲା। ଯନ୍ତ୍ରଣାରେ ଛଟପଟ ହୋଇ ହାତୀଟି ଜଙ୍ଗଲ ଆଡ଼କୁ ଦୌଡ଼ି ପଳାଇଥିଲା। ଏତେ ଯନ୍ତ୍ରଣା ପରେ ବି ସେ କୌଣସି ଲୋକର କି ଘରର କିଛି କ୍ଷତି କରିନଥିଲା। ଯନ୍ତ୍ରଣା ଲାଘବ ପାଇଁ ସେ ଏକ ନଦୀ ଭିତରକୁ ପଶିଯାଇଥିଲା। ମାତ୍ର ଭଗବାନ ବୋଧେ ତା’ କଷ୍ଟ ସହିପାରିଲେନି। ସେଥିପାଇଁ ତାକୁ ନିଜ ପାଖକୁ ନେଇଗଲେ। ହାତୀ ସହ ତା’ ଗର୍ଭରେ ବି ଥିବା ନିଷ୍ପାପ ଛୁଆଟି ବି ଦୁନିଆ ଦେଖିବା ପୂର୍ବରୁ ହିଁ ଆଖିବୁଜିଦେଲା।

ଖବର ପାଇ ବନ କର୍ମଚାରୀ ହାତୀ ସନ୍ଧାନରେ ଜଙ୍ଗଲ ଭିତରକୁ ଯାଇଥିଲେ। କିନ୍ତୁ ତାକୁ ପାଇଲା ବେଳକୁ ଆଉ ହାତୀ ପିଣ୍ଡରେ ପ୍ରାଣ ନଥିଲା। ନଦୀ ଭିତରେ ଛିଡ଼ା ହୋଇଥିବା ଅବସ୍ଥାରେ ହିଁ ତା’ ଜୀବନ ଚାଲିଯାଇଥିଲା। ଏହି ଘଟଣାକୁ ନେଇ ଦୁଃଖ ବ୍ୟକ୍ତ କରି ବନ ଅଧିକାରୀ ମୋହନ କୃଷ୍ଣନ୍‌ କହିଛନ୍ତି, ‘‘ହାତୀଟି ମଣିଷ ଉପରେ ବିଶ୍ୱାସ କରିଥିଲା। ସେ ସପୁରୀ ଖାଇବା ବେଳେ ଜାଣିନଥିଲା ଯେ ତା’ ଭିତରେ ବାଣ ଅଛି। ବିସ୍ଫୋରଣ ଯୋଗୁ ତା’ ମୁହଁ ଓ ଜିଭ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା। ଅସହ୍ୟ ଯନ୍ତ୍ରଣା ଭିତରେ ମଧ୍ୟ ସେ କାହାର କ୍ଷତି କରିନଥିଲା। ତାକୁ ସମ୍ମାନଜନକ ବିଦାୟ ଦେବା ପାଇଁ ଆମେ ଏକ ଟ୍ରକ ଡାକିଥିଲୁ। ଆମେ ତାକୁ ଉକ୍ତ ଜଙ୍ଗଲରେ ହିଁ ଅନ୍ତିମ ବିଦାୟ ଜଣାଇଥିଲୁ ଯେଉଁଠାରେ ତା’ ପିଲାବେଳ ବିତିଥିଲା ଓ ସେ ବଡ଼ ହୋଇଥିଲା’’।

ଏହି ଘଟଣାକୁ ବହୁ ସେଲିବ୍ରିଟି ତୀବ୍ର ନିନ୍ଦା କରିବା ସହ ଏଭଳି ଲଜ୍ଜାଜନକ କାଣ୍ଡ ଭିଆଇଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଅଭିନେତ୍ରୀ ଶ୍ରଦ୍ଧା କପୁର, ଅନୁଷ୍କା ଶର୍ମାଙ୍କ ସମେତ ବହୁ ସେଲିବ୍ରିଟି ଏଭଳି କ୍ରୁରତାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଏଥିସହ ପଶୁଙ୍କୁ ନିର୍ଯାତନା ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନ୍‌ ଆଣିବାକୁ ଦାବି କରିଛନ୍ତି।

anu

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.