ଦେଶର ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ଡି. ଓ୍ଵାଇ. ଚନ୍ଦ୍ରଚୂଡ଼: ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କେନ୍ୟୁଜ୍(ବ୍ୟୁରୋ): ଦେଶର ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ଡି. ଓ୍ଵାଇ. ଚନ୍ଦ୍ରଚୂଡ଼ । ଆଜି ୫୦ତମ ପ୍ରଧାନ ବିଚାରପତି ଭାବରେ ସେ ଶଥପ ନେଇଛନ୍ତି । ରାଷ୍ଟ୍ରପତି ଭବନରେ ତାଙ୍କୁ ପଦବୀର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ପଦବୀରେ ପ୍ରାୟ ଦୁଇ ବର୍ଷ ରହିବେ । ୨୦୨୪ ନଭେମ୍ବର ୧୦ ତାରିଖ ଯାଏ ପ୍ରଧାନ ବିଚାରପତି ରହିବେ ଜଷ୍ଟିସ ଡି. ଓ୍ଵାଇ. ଚନ୍ଦ୍ରଚୂଡ଼ । ଶପଥ ଗ୍ରହଣ ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଆଇନ ମନ୍ତ୍ରୀ କିରଣ ରିଜିଜୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ, ବାଚସ୍ପତି ଓମ୍‌ ବିର୍ଲା, ପୂର୍ବତନ ପ୍ରଧାନ ବିଚାରପତି ୟୁ. ୟୁ. ଲଳିତ ଓ ଅନ୍ୟ ବିଚାରପତିମାନେ ଉପସ୍ଥିତ ଥିଲେ ।

ଜଷ୍ଟିସ ଚନ୍ଦ୍ରଚୂଡ଼ ପୂର୍ବତନ ପ୍ରଧାନ ବିଚାରପତି ଯଶୱନ୍ତ ବିଷ୍ଣୁ ଚନ୍ଦ୍ରଚୂଡ଼ଙ୍କ ପୁଅ । ୧୯୮୩ ମସିହାରେ ଓକିଲାତି କ୍ୟାରିଅର ଆରମ୍ଭ କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ । ୨୦୦୪ ମସିହାରେ ହୋଇଥିଲେ ସୁପ୍ରିମକୋର୍ଟରେ ବରିଷ୍ଠ ଆଇନଜୀବୀ । ସୁପ୍ରିମକୋର୍ଟଙ୍କ ଆଇନ ସେବା କମିଟିର ଦୁଇ ବର୍ଷ ସଦସ୍ୟ ରହିଥିଲେ । ୨୦୧୩ରେ ଆହ୍ଲାବାଦ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ନେଇଥିଲେ । ୨୦୧୬ରେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବରେ ନିଯୁକ୍ତି ମିଳିଥିଲା । ଜଷ୍ଟିସ ଚନ୍ଦ୍ରଚୂଡ଼ ଅଯୋଧ୍ୟା ବାବ୍ରି ମସଜିଦ ମାମଲା, ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟର ଖଣ୍ଡପୀଠରେ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.