ଆଇଆଇଟି ଦିଲ୍ଲୀର ହୀରକ ଜୟନ୍ତୀ ସମାରୋହ ଯୋଗଦେଲେ ରାଷ୍ଟ୍ରପତି

କେନ୍ୟୁଜ୍(ବ୍ୟୁରୋ):  ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ହେଉଛି ଆମ ଦେଶର ଗୌରବ । ଶନିବାର ଆଇଆଇଟି ଦିଲ୍ଲୀର ହୀରକ ଜୟନ୍ତୀର ଉଦଯାପନ ସମାରୋହରେ ଯୋଗଦେଇ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହା ଉଦବୋଧନ ଦେଇଛନ୍ତି ।ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ ଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର କ୍ଷମତାକୁ ଆଇଆଇଟି ଗୁଡ଼ିକ ବିଶ୍ୱ ସମ୍ମୁଖରେ ପ୍ରମାଣିତ କରି ସାରିଛନ୍ତି । ଆଇଆଇଟିର କାହାଣୀ ସ୍ୱାଧୀନ ଭାରତର କାହାଣୀ । ବିଶ୍ୱ ଦରବାରରେ ଭାରତକୁ ଶିଖରରେ ପହଞ୍ଚାଇବାରେ ଆଇଆଇଟି ମାନଙ୍କର ଯୋଗଦାନ ଅତୁଳନୀୟ । ଆଇଆଇଟି ଫ୍ୟାକଲଟି ଏବଂ ଆଲୁମିନାଇ ବିଶ୍ୱକୁ ଆମର ବୌଦ୍ଧିକ କ୍ଷମତାକୁ ଦେଖାଇଛନ୍ତି । ଆଇଆଇଟିରେ ଅଧ୍ୟୟନ କରିଥିବା ଅନେକ ଛାତ୍ରଛାତ୍ରୀ ଆଜି ବିଶ୍ୱରେ ଡିଜିଟାଲ ବିପ୍ଳବର ନେତୃତ୍ୱ ନେଉଛନ୍ତି । ଏହାବ୍ୟତିତ ଆଇଆଇଟିର ପ୍ରଭାବ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରୁ ବହୁତ ଆଗକୁ ଯାଇଛି ଏବଂ ଆଇଆଇଟିର ଛାତ୍ରଛାତ୍ରୀମାନେ ଶିକ୍ଷା, ଶିଳ୍ପ, ଉଦ୍ୟମିତା, ସମାଜ, ସାମ୍ବାଦିକ, ସାହିତ୍ୟ ଏବଂ ରାଜନୀତି କ୍ଷେତ୍ରରେ ନେତୃତ୍ୱ ନେଉଛନ୍ତି ବୋଲି ସେ କହିଛନ୍ତି ।

ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜଣାଇଛନ୍ତି । ତାଙ୍କ ପ୍ରେରଣାଦାୟୀ କଥା ଆମର ଅମୃତ କାଳର ଲକ୍ଷ୍ୟକୁ ହାସଲ କରିବା ଦିଗରେ ଶିକ୍ଷା ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି । ସେହିପରି ୬୦ ବର୍ଷର ଗୌରବମୟ ଯାତ୍ରା ପାଇଁ ଆଇଆଇଟି ଦିଲ୍ଲୀକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଜାତୀୟ ପ୍ରଗତିକୁ ଆଗକୁ ନେବାରେ ଆଇଆଇଟି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ରାଷ୍ଟ୍ରପତିଙ୍କ ଦ୍ୱାରା ଆଇଆଇଟି ଦିଲ୍ଲୀ ଠାରେ ଉଦଘାଟିତ ହୋଇଥିବା ଅନୁସନ୍ଧାନ ଏବଂ ନବସୃଜନ ପାର୍କ ଆଇଆଇଟିରେ ଆର ଏଣ୍ଡ ଡ଼ି ତଦଥା ଗବେଷଣା ଏବଂ ବିକାଶକୁ ତ୍ୱରାନ୍ୱିତ କରିବ । ଗର୍ବର ବିଷୟ ଯେ ଅନେକ ବିକଶିତ ଦେଶ ଆଇଆଇଟିର ଅଫସୋର କ୍ୟାମ୍ପସ ନିଜ ଦେଶରେ ପ୍ରତିଷ୍ଠା କରିବା ପାଇଁ ଇଚ୍ଛାପ୍ରକାଶ କରିଛନ୍ତି । ଏହା ଆମ ସମ୍ମାନଜନକ ଆଇଆଇଟି ଗୁଡ଼ିକର କ୍ଷମତା ଓ ଗୁଣାତ୍ମକ ମାନକୁ ଦର୍ଶାଉଛି ।

ଭାରତ ଏବେ ନବସୃଜନ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ବିଶ୍ୱରେ ଭାରତରେ ସର୍ବାଧିକ ଡିଜିଟାଲ କାରବାର ହେଉଥିବା ବେଳେ ସ୍ୱଦେଶୀ ପଦ୍ଧତିରେ ବିକଶିତ କରାଯାଉଥିବା ୫ଜି ଟେକ୍ନୋଲୋଜି ଦେଶର ଡିଜିଟାଲ ବିପ୍ଳବକୁ ତ୍ୱରାନ୍ୱିତ କରିବ । ଆଧୁନିକ ଅର୍ଥନୀତିର ଭାରତ କେନ୍ଦ୍ରବିନ୍ଦୁ । ଶିଳ୍ପ ବିପ୍ଳବ ୪.୦ ରେ ଆଇଆଇଟି ଭାରତକୁ ଟେକ୍ନୋଲୋଜିର ପେଣ୍ଠସ୍ଥଳି ଭାବେ ପ୍ରତିଷ୍ଠିତ କରିବା ପାଇଁ ପ୍ରୟାସ କରୁ । ଭବିଷ୍ୟତର ଆହ୍ୱାନକୁ ସମାଧାନ କରିବା ସହ ବିଶ୍ୱର ଦାୟିତ୍ୱ ନେବା ପାଇଁ ଆଇଆଇଟି ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରୁ । ଆମର ଆତ୍ମବିଶ୍ୱାସ ବଢ଼ିଛି, ଆମେ ବିଶ୍ୱର ନେତୃତ୍ୱ ନେବା । ଶିକ୍ଷାନୁଷ୍ଠାନ ଶିଳ୍ପସଂସ୍ଥାକୁ ସଦୃଢ଼ କରିବା ପାଇଁ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ହେବ ଓ ନୀତି ନିର୍ଦ୍ଧାରିକଙ୍କୁ ଏକବିଂଶ ଶତାବ୍ଦୀର ଆକାଂକ୍ଷାକୁ ପୂରଣ କରି ଭାରତକୁ ବିଶ୍ୱର ୧ ନମ୍ବର ଅର୍ଥନୀତି ଭାବେ ପରିଣତ କରିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.