୧୨ ମିରେଜ ଯୁଦ୍ଧ ବିମାନ ଏବଂ ୨୧ ମିନିଟ୍‌ର ଅପରେସନ୍ . . . ଭୋର ୩.୩୦ରୁ ଆରମ୍ଭ ୪. ୦୪ରେ ଶେଷ, ପଢନ୍ତୁ କେମିତି ରଚାଯାଇଥିଲା ପୁଲଓ୍ୱାମା ପ୍ରତିଶୋଧର ଚକ୍ରବ୍ୟୁହ

ସର୍ଜିକାଲ୍‌ ଷ୍ଟ୍ରାଇକ୍‌-ଟୁ। ପୁଲୱାମା ଆକ୍ରମଣ ପରେ ପ୍ରତିଶୋଧ ଲକ୍ଷରେ ଥିଲା ଭାରତ। ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲେ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ, ସ୍ଥଳ ସେନା ଓ ବାୟୁସେନା ମୁଖ୍ୟ। ଏହାସହ ପଦକ୍ଷେପ ଲାଗି ସେନାକୁ ଦିଆଯାଇଥିଲା ସଂପୂର୍ଣ୍ଣ ସ୍ୱାଧୀନତା। ଆଜି କାର୍ଯ୍ୟକାରୀ ହୋଇଥିଲା ମାଷ୍ଟରପ୍ଲାନ୍‌। ମଙ୍ଗଳବାର ଭୋର ସାଢ଼େ ୩ଟା। ପାକ୍‌ ଅଧିକୃତ କାଶ୍ମୀରରେ ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇବା ମିଶନରେ ବାହାରିଥିଲା ଭାରତୀୟ ବାୟୁସେନା। ଗ୍ଵାଲିୟର ଏୟାର ବେସରୁ ଉଡ଼ାଣ ଭରିଥିଲା ୧୨ଟି ଲଢୁଆ ଏୟାରକ୍ରାଫ୍ଟ। ୩ଟା ୩୫ ଭିତରେ ଏଲଓସି ପାର କରିଥିଲେ। ପିଓକେର ୩ଟି ଭିନ୍ନ ଭିନ୍ନ ସ୍ଥାନରେ କରିଥିଲେ ଘମାଘୋଟ ବୋମାବର୍ଷଣ। ୬ଟି ବୋମା ପଡ଼ିଥିଲା। ସମୟ ୩ଟା ୪୫ରୁ ୩ଟା ୫୩। ପ୍ରଥମ ଟାର୍ଗେଟ ଥିଲା ବାଲାକୋଟ। ଏଠାରେ ଚାଲୁଥିଲା ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୋଇବା, ହିଜବୁଲ୍‌ ମୁଜାହିଦ୍ଦିନ ଭଳି ଆତଙ୍କୀ ସଂଗଠନର ଟ୍ରେନିଂ କ୍ୟାମ୍ପ। ବାଲାକୋଟରେ ଥିବା ଆତଙ୍କୀ ଶିବିର ଉପରେ ହଜାରେ କିଲୋର ବୋମା ପଡ଼ିଥିଲା।

ଭୋର୍‌ ୩ଟା ୪୮ରୁ ୩ଟା ୫୫: 

ଟାର୍ଗେଟରେ ଥିଲା ପିଓକେର ମୁଜାଫରାବାଦ ସେକ୍ଟର। ଏଠାରେ ଥିବା ଆତଙ୍କୀ ଆଡ୍ଡା ଉପରେ ଆକାଶମାର୍ଗରୁ ଅତର୍କିତ ବୋମାମାଡ଼ ହୋଇଥିଲା। ମାତ୍ର ୭ ମିନିଟର ଅପରେସନ୍‌ରେ ଶୋଇଥିବା ଅବସ୍ଥାରେ ସଫା ହୋଇଥିଲା ଶତାଧିକ ଆତଙ୍କବାଦୀ।

ଭୋର୍‌ ୩ଟା ୫୮ରୁ ୪ଟା ୦୪ :

ତୃତୀୟ ଟାର୍ଗେଟ ଥିଲା ଚକୌଟୀ ସେକ୍ଟର। ମାତ୍ର ୬ ମିନିଟ ଭିତରେ ଚକୌଟୀ ସେକ୍ଟରରେ ଥିବା ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଓ ଲଞ୍ଚ ପ୍ୟାଡର ଚିହ୍ନବର୍ଣ୍ଣ ହଜାଇଦେଲା ଭାରତୀୟ ବାୟୁସେନା। ପାରମ୍ପରିକ ଲେଜର ଗାଇଡେଡ୍‌ ବୋମା ପକାଇବାରେ ସକ୍ଷମ ମିରେଜ୍‌ ଆତଙ୍କୀ ମିଶନକୁ ସଫଳ କରି ଫେରି ଆସିଥିଲା।

ଉରି ଆକ୍ରମଣ ପରେ ସର୍ଜିକାଲ୍‌ ଷ୍ଟ୍ରାଇକ ହୋଇଥିଲା। ପୁଲଓ୍ଵାମା ହମ୍‌ଲା ପରେ ସେଭଳି ଆକ୍ସନ ଭୟରେ ପିଓକେ ଛାଡ଼ି ଲୁଚିଥିଲେ ଆତଙ୍କବାଦୀ। କିନ୍ତୁ ଭାରତୀୟ ବାୟୁସେନାର ଲଢୁଆ ଯୁଦ୍ଧ ବିମାନ ପିଓକେଠାରୁ ୮୦ କିଲୋମିଟର ଦୂରରେ ଥିବା ଆତଙ୍କୀ କ୍ୟାମ୍ପକୁ ମୂଳପୋଛ କରି ଦେଇଛି। ପ୍ରତି ଆକ୍ରମଣ ପାଇଁ ପାକିସ୍ତାନର ୠ୧୬ ଉଦ୍ୟମ କରିଥିଲା। କିନ୍ତୁ ଭାରତର ରଣନୀତି ଦେଖି ପଛଘୁଞ୍ଚା ଦେଲା ପାକିସ୍ତାନ ବାୟୁସେନା।

surgical strike ୧୮ ସେପ୍ଟେମ୍ବର ୨୦୧୬। ଉରିରେ ସେନା ଉପରେ ଆତଙ୍କବାଦୀ ଆକ୍ରମଣ। ସହିଦ ହୋଇଥିଲେ ୧୯ ଯବାନ। ଏହାର ୧୦ ଦିନ ପରେ ସର୍ଜିକାଲ ଷ୍ଟ୍ରାଇକ୍‌। ବଦ୍‌ଲା ନେଲା ଭାରତ। ଶତାଧିକ ଆତଙ୍କବାଦୀ ନିହତ ହେଲେ। ସେ ସମୟରେ ସ୍ଥଳ ସେନା ନେଇଥିଲା ପ୍ରମୁଖ ଭୂମିକା। ପ୍ରାୟ ଅଢେଇ ବର୍ଷ ପରେ ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ। ଏଥର ପୁଲୱାମା ଆକ୍ରମଣର ୧୨ ଦିନ ପରେ ବଦ୍‌ଲା। ଆକାଶ ମାର୍ଗରୁ ହେଲା ହମଲା। ଏଲ୍‌ଓସି ପାର କରି ବାୟୁସେନା ବିମାନ ମିରେଜ ୨୦୦୦, ଏକ ହଜାର କିଲୋଗ୍ରାମର ଲେଜର ଗାଇଡେଡ୍‌ ବୋମା ପକାଇଲା। ୧୯୭୧ ଯୁଦ୍ଧ ପରେ ଭାରତୀୟ ବାୟୁସେନା ପ୍ରଥମ ଥର ଲାଗି ଏଲ୍‌ଓସି ପାର କରି ଆକ୍ରମଣ କରିଛି। ପାକିସ୍ତାନକୁ ଜୋର୍‌କା ଝଟ୍‌କା ଜୋରରେ ଲାଗିଛି।

ଉରି ପରେ କ୍ଷୟକ୍ଷତିକୁ ଖଣ୍ଡନ କରିଥିଲା ପାକିସ୍ତାନ। ବର୍ତ୍ତମାନ ବି ସେହି ଏକା କଥା। ପାକିସ୍ତାନ କହିଛି ଆନ୍ତର୍ଜାତିକ ମିଡିଆକୁ ଘଟଣା ସ୍ଥଳକୁ ନେବ। ସତ ଦେଖାଇବ। ଏହାସହ ଭାରତର ପଦକ୍ଷେପର ଉଚିତ ସମୟରେ ଉଚିତ୍‌ ଜବାବ ଦେବ ବୋଲି ପାକିସ୍ତାନ କହିଛି। ସେପଟେ ପ୍ରତି ଜବାବ ଦେବାକୁ ଭାରତ ପ୍ରସ୍ତୁତ। ଆନ୍ତର୍ଜାତିକ ସୀମା ଓ ଏଲ୍‌ଓସିରେ ଏୟାର ଡିଫେନ୍‌ସ ସିଷ୍ଟମକୁ ହାଇ ଆଲର୍ଟରେ ରଖାଯାଇଛି।

ଭାରତୀୟ ସେନା ପ୍ରତିଟି ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ। ଉରି ଓ ପୁଲୱାମାରେ ତାହା କରି ଦେଖାଇଛନ୍ତି। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ସ୍ଥିତି ଅଧିକ ସଙ୍ଗୀନ ହୋଇ ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.