ନିଜ ହମ୍‌ସକଲଙ୍କୁ ଭେଟିଲେ ରାହୁଲ ଗାନ୍ଧୀ; ‘ଛୋଟା ରାହୁଲ’ ନାମରେ ଜଣାଶୁଣା ମେରଠର ଫୈଜଲ୍‌ ଚୌଧୁରୀ

କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ସମୟରେ ଲୁଧିଆନାରେ ଜଣେ ବ୍ୟକ୍ତି ଚର୍ଚ୍ଚା ପରିସରକୁ ଆସିଛନ୍ତି। ଏହି ବ୍ୟକ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପରି ଦେଖାଯାଉଛନ୍ତି, ଯାହାଙ୍କ ସହିତ ଲୋକମାନେ ଭାରତ ଯୋଡ଼ୋ ଯାତ୍ରା ବେଳେ ଫଟୋ ଉଠାଉଥିବାର ନଜର ଆସିଥିଲେ। ଏବେ ବ୍ୟକ୍ତି ଜଣକ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି।

ରାହୁଲ ଗାନ୍ଧୀଙ୍କ ହମ୍‌ସକଲ ଭରତ ଯୋଡ଼ୋ ଯାତ୍ରାରେ ତାଙ୍କୁ ଭେଟିଛନ୍ତି। ବ୍ୟକ୍ତିଙ୍କ ନାମ ମହମ୍ମଦ ଫୈଜଲ ଚୌଧୁରୀ, ଯିଏକି ଜଣେ କଂଗ୍ରେସ କର୍ମୀ ବୋଲି ଜଣାପଡ଼ିଛି। ଫୈଜଲ ମେରଠର ବାସିନ୍ଦା। ସେ ‘ଛୋଟା ରାହୁଲ’ ନାମରେ ମଧ୍ୟ ବେଶ୍‌ ଜଣାଶୁଣା। ତାଙ୍କର ଉଚ୍ଚତା ୫ ଫୁଟ୍‌ ୬ ଇଞ୍ଚ, ଯାହାଙ୍କୁ ଅନେକ ସମୟରେ ଲୋକମାନେ ରାହୁଲ ଗାନ୍ଧୀ ଭାବି ଘେରି ଯାଆନ୍ତି।

ମିଡିଆ ରିପୋର୍ଟ ମୁତାବକ, ଚାଷୀ ପରିବାରରେ ଜନ୍ମିତ ଫୈଜଲ ମେରଠରେ ପାର୍ଟି ୟୁନିଟର ଅଂଶ। ସେ ଶ୍ରୀନଗରରେ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ସାମିଲ ରହିବାକୁ ଚାହାଁନ୍ତି। ଫୈଜଲ ଯାତ୍ରା ସମୟରେ ମିଡିଆ ସହ କଥାବାର୍ତ୍ତା କରି କହିଛନ୍ତି ଯେ ମୋ ବାପା ଏବଂ ଦାଦା କଂଗ୍ରେସ ପାର୍ଟିର ଆଦର୍ଶ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଏବଂ ଏଥିରେ ସମ୍ପୂର୍ଣ୍ଣ ବିଶ୍ୱାସ କରୁଥିଲେ। ଏହି କାରଣରୁ ସେ ତିନି ବର୍ଷ ପୂର୍ବେ କଂଗ୍ରେସ ଦଳରେ ସାମିଲ ହୋଇଥିଲେ।

ସେ କହିଛନ୍ତି ଯେ ଲୋକମାନେ ପ୍ରାୟତଃ ତାଙ୍କୁ ରାହୁଲ ଗାନ୍ଧୀ ଭାବି ନିଅନ୍ତି। ସେମାନେ ତାଙ୍କୁ ଆଲିଙ୍ଗନ କରନ୍ତି ଏବଂ ମାଳା ପିନ୍ଧାଇ ପକାନ୍ତି। ସୂଚନାଥାଉ କି, ସୋମବାର ପଞ୍ଜାବର ଆଦମପୁରରୁ ଭାରତ ଯୋଡ଼ୋ ଯାତ୍ରା ପୁଣି ଆରମ୍ଭ ହୋଇଛି। ପ୍ରବଳ ଥଣ୍ଡା ସତ୍ତ୍ୱେ ଶହ ଶହ ଲୋକ ରାହୁଲ ଗାନ୍ଧୀଙ୍କ ପଦଯାତ୍ରାରେ ସାମିଲ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.