ଷ୍ଟେସନରେ ଅଟକାଇଲେନି ଟ୍ରେନ୍, ସାରା ଜୀବନ ଇଞ୍ଜିନ୍ ଚଲାଇବା ପାଇଁ ଲୋକୋ ପାଇଲଟଙ୍କୁ ମିଳିଲା ଦଣ୍ଡ

ଷ୍ଟେସନରେ ଟ୍ରେନ୍ ନଅଟକାଇବା ପଡିଲା ମହଙ୍ଗା । ସାରା ଜୀବନ କେବଳ ଇଞ୍ଜିନ ଚଲାଇବା ପାଇଁ ଲୋକୋ ପାଇଲଟଙ୍କୁ ମିଳିଲା ଦଣ୍ଡ । ଘଟଣାଟି ଘଟିଛି ରାଜସ୍ଥାନରେ । ଟ୍ରେନଟି ଗତ ୨୫ ଫେବ୍ରୁଆରୀରେ ଯୋଧପୁରରୁ ଛାଡିଥିଲା । ଯେଉଁଥିରେ ଲୋକୋ ପାଇଲଟ୍ ଥିଲେ ଅବଦୁଲ୍ ୱହିଦ୍ ଏବଂ ସହାୟକ ପାଇଲଟ୍ ଥିଲେ ଓମକାର କଟାରିଆ ଏହାକୁ ଚଲାଉଥିଲେ ।

ତେବେ ଛୋଟି ଖାଟୁରେ ଷ୍ଟେସନରେ ଟ୍ରେନଟି ଅଟକିବାର ଥିଲା । କାରଣ ଅନେକ ଯାତ୍ରୀ ଟ୍ରେନକୁ ଅପେକ୍ଷା କରିବା ସହ କିଛି ଯାତ୍ରୀ ଓହ୍ଲାଇବାର ମଧ୍ୟ ଥିଲା । କିନ୍ତୁ ଟ୍ରେନଟି ଅଟକିବା ପରିବର୍ତ୍ତେ ୧୦୦ ସ୍ପିଡରେ ଅନ୍ଧାରର ଛାତି ଚିରି ଚାଲିଯାଇଥିଲା ।

ତେବେ ପ୍ରାୟ ୧୦ କିଲୋମିଟର ଚାଲିଯିବା ପରେ ଲୋକୋ ପାଇଲଟ୍ ଅବଦୁଲଙ୍କୁ କିଛି ଗଡବଡ ଲାଗିବାରୁ ଟ୍ରେନକୁ ଅଟକାଇଥିଲେ । ସେତେବେଳେ ଜଣା ପଡିଥିଲା ଯେ ସେ ଛୋଟି ଖାଟୁ ଷ୍ଟେସନକୁ ପଛରେ ଛାଡି ଚାଲିଆସିଛନ୍ତି, ଯେଉଁଠି ତାଙ୍କ ଷ୍ଟପେଜ୍ ଥିଲା । ଏହାପରେ ୧୦ କିମି ପଛକୁ ଟ୍ରେନ ନେଇ ପୁଣି ଥରେ ଯାତ୍ରୀଙ୍କୁ ଧରି ଆଗକୁ ବଢିଥିଲା ।

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଯାଂଚ କରିଥିଲା ରେଳବାଇ । ଆଉ ଉଭୟ ଅବଦୁଲ୍ ୱହିଦ୍ ଏବଂ ଓମକାର କଟାରିଆଙ୍କୁ ସାରା ଜୀବନ କେବଳ ଇଞ୍ଜିନ୍ ଚଲାଇବା ପାଇଁ ଦଣ୍ଡାଦେଶ ଦିଆଯାଇଛି । ଏଣିକି ଆଉ କେବେ ବି ଉଭୟ ପାସେଞ୍ଜର ଟ୍ରେନ୍ ଚଲାଇ ପାରିବେ ନାହିଁ ।

ରେଲୱେ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଷ୍ଟେସନ ଏକ ହଲ୍ଟ ଷ୍ଟେସନ୍ ହୋଇଥିବାରୁ ଏଠାରେ ନା କୌଣସି ସିଗନାଲ୍ ବ୍ୟବସ୍ଥା ଅଛି ନା ଅଛନ୍ତି କୌଣସି ରେଳ କର୍ମଚାରୀ । ତେଣୁ ଏଠାରେ ଟ୍ରେନକୁ ଅଟକାଇବା କାମ ଲୋକୋ ପାଇଲଟ୍ ଏବଂ ସହାୟକ ପାଇଲଟଙ୍କର । କିନ୍ତୁ ଉଭୟ ନିଜ କର୍ତ୍ତବ୍ୟ ଠିକ୍ ଭାବରେ କରିନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.