୧ କିଲୋ ସୁନା ଓ ୭ କିଲୋ ଚାନ୍ଦିରେ ନିର୍ମିତ ଭଗବାନ ରାମଙ୍କ ‘ଚରଣ ପାଦୁକା’, ସାରା ଦେଶରେ କରାଯାଉଛି ପରିକ୍ରମା

ପ୍ରାଣ ପ୍ରତିଷ୍ଠା ପରେ ଭଗବାନଙ୍କ ଚରଣ ପାଦକାଦ୍ୱୟକୁ ମନ୍ଦିରରେ ସ୍ଥାପନ କରାଯିବ। ବର୍ତ୍ତମାନ ପାଦୁକାଦ୍ୱୟକୁ ସାରା ଦେଶରେ ପରିକ୍ରମା କରାଯାଉଛି। ପ୍ରାଣ ପ୍ରତିଷ୍ଠା ମହୋତ୍ସବ ପୂର୍ବରୁ ଅର୍ଥାତ୍‌ ଜାନୁୟାରୀ ୧୯ରେ ଏହା ଅଯୋଧ୍ୟାରେ ପହଞ୍ଚିବ।

ଆସନ୍ତା ବର୍ଷ ଜାନୁୟାରୀ ୨୨ରେ ଅଯୋଧ୍ୟାରେ ଭଗବାନ ରାମଙ୍କ ନବନିର୍ମିତ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ। ଏହାକୁ ନେଇ ରାମ ନଗରୀରେ ଜୋର୍‌ସୋରରେ ପ୍ରସ୍ତୁତି ଚାଲିଛି। ପ୍ରାଣ ପ୍ରତିଷ୍ଠା ପରେ ଭଗବାନଙ୍କ ଚରଣ ପାଦକାଦ୍ୱୟକୁ ମନ୍ଦିରରେ ସ୍ଥାପନ କରାଯିବ। ବର୍ତ୍ତମାନ ପାଦୁକାଦ୍ୱୟକୁ ସାରା ଦେଶରେ ପରିକ୍ରମା କରାଯାଉଛି। ପ୍ରାଣ ପ୍ରତିଷ୍ଠା ମହୋତ୍ସବ ପୂର୍ବରୁ ଅର୍ଥାତ୍‌ ଜାନୁୟାରୀ ୧୯ରେ ଏହା ଅଯୋଧ୍ୟାରେ ପହଞ୍ଚିବ।

ଭଗବାନ ରାମଙ୍କର ଏହି ପାଦୁକାଦ୍ୱୟକୁ ହାଇଦ୍ରାବାଦର ଶ୍ରୀଚଲ୍ଲା ଶ୍ରୀନିବାସ ଶାସ୍ତ୍ରୀ ତିଆରି କରିଛନ୍ତି। ଗତକାଲି ଏହାକୁ ରାମେଶ୍ୱର ଧାମରୁ ଅହମ୍ମଦାବାଦ ଅଣାଯାଇଛି। ଏହାକୁ ଏସ୍‌.ଜି. ରାଜପଥସ୍ଥିତ ତିରୁପତି ବାଲାଜୀ ମନ୍ଦିରରେ ଦର୍ଶନ ପାଇଁ ରଖାଯାଇଛି। ସେଠାରୁ ସୋମନାଥ ଜ୍ୟୋତିର୍ଲିଙ୍ଗ ଧାମ, ଦ୍ୱାରକାଧୀଶ ନଗରୀ ଏବଂ ଏହାପରେ ବଦ୍ରୀନାଥ ଧାମ ନିଆଯିବ।

ଏହି ଚରଣ ପାଦୁକାକୁ ୧ କିଲୋ ସୁନା ଏବଂ ୭ କିଲୋ ଚାନ୍ଦିରେ ତିଆରି କରାଯାଇଛି। ଏଥିରେ ବହୁମୂଲ୍ୟ ରତ୍ନ ବ୍ୟବହୃତ ହୋଇଛି। ଅହମ୍ମଦାବାଦରେ ପହଞ୍ଚିଥିବା ପାଦୁକାଦ୍ୱୟକୁ ବାଲାଜୀ ମନ୍ଦିରର ଟ୍ରଷ୍ଟି କେ. ସୁବାରାୟୁଡୁ ନିଜ ମୁଣ୍ଡ ଉପରେ ରଖି ମନ୍ଦିର ଭିତରକୁ ନେଇଥିଲେ। ସେଠାରେ ମନ୍ଦିରର ପଣ୍ଡିତମାନେ ବିଶେଷ ପୂଜାର୍ଚ୍ଚନା କରିବା ପରେ ଭକ୍ତମାନେ ପାଦୁକା ଦର୍ଶନ କରିଥିଲେ। କିଛି ଭକ୍ତ ଏହାକୁ ନିଜ ମୁଣ୍ଡ ଉପରେ ରଖିବାର ମଧ୍ୟ ସୌଭାଗ୍ୟ ଅର୍ଜିଥିଲେ।

ସେପଟେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରଥମ ମହଲା ପାଖାପାଖି ନିର୍ମାଣ ହୋଇଯାଇଛି। ବର୍ତ୍ତମାନ ଚଟାଣରେ ପଥର ଘଷା ଏବଂ ଖମ୍ବଗୁଡ଼ିକରେ ସୂକ୍ଷ୍ମ କାରୁକାର୍ଯ୍ୟକୁ ଅନ୍ତିମ ରୂପ ଦିଆଯାଉଛି। ମନ୍ଦିର ଟ୍ରଷ୍ଟ ଦାବି କରିଛି ଯେ ଡିସେମ୍ବର ସୁଦ୍ଧା ଫିନିସିଙ୍ଗ୍‌ ଏବଂ ପ୍ରଥମ ମହଲାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.