ଅଭିନୟ ହୋଇଗଲା ସତ: ରାମଙ୍କ ବିୟୋଗରେ ମଞ୍ଚରେ ହିଁ ସତସତିକା ପ୍ରାଣ ତ୍ୟାଗ କଲେ ଦଶରଥ, ଜୀବନ୍ତ ଅଭିନୟ ଭାବି ଲୋକେ ବଜାଇଲେ ତାଳି

ରାମଲୀଳାରେ ଦଶରଥ ଅଭିନୟ କରୁ କରୁ ମଞ୍ଚରେ ହିଁ ଚାଲିଗଲା ପ୍ରାଣ। ରାମ ବନବାସକୁ ଯିବା ବେଳେ ବାପା ଦଶରଥ ଦୁଃଖରେ କାନ୍ଦି କାନ୍ଦି ଅଚେତ ହୋଇଯାଇଥିଲେ। ଦର୍ଶକେ ଏହାକୁ ଦଶରଥଙ୍କ ଚମତ୍କାର ଅଭିନୟ କହି କରତାଳି ଦେଉଥିବା ବେଳେ ଦଶରଥ ଭୂମିକାରେ ଅଭିନୟ କରୁଥିବା କଳାକାର କିନ୍ତୁ ସତସତିକା ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ। ଏଠାରେ ଦଶରଥ ଭୂମିକାରେ ଅଭିନୟ କରୁଥିବା ରାଜେନ୍ଦ୍ର ସିଂହ ସତରେ ଷ୍ଟେଜ୍‌ରେ ପ୍ରାଣ ତ୍ୟାଗ କରିଛନ୍ତି।

ରାମ ବନବାସକୁ ଯିବା ପରେ ଦଶରଥ ପ୍ରାଣ ତ୍ୟାଗ କରିଥିଲେ ଓ ଏହା ପରେ ଷ୍ଟେଜ୍‌ର ପରଦା ଖସିଥିଲା। କିନ୍ତୁ ଦଶରଥ ଭୂମିକାରେ ଅଭିନୟ କରୁଥିବା ରାଜେନ୍ଦ୍ର ସିଂହ ଆଉ ଉଠି ନଥିଲେ। ପରଦା ଖସିବା ପରେ ବି ରାଜେନ୍ଦ୍ର ନ ଉଠିବାରୁ ସହଯୋଗୀ କଳାକାର ତାଙ୍କ ନିକଟକୁ ଯାଇଥିଲେ। କିନ୍ତୁ ତାଙ୍କ ନିକଟରେ ପହଞ୍ଚିବା ପରେ ହିଁ ସେମାନେ ଜାଣିଲେ ଯେ ଦଶରଥ ଭୂମିକାରେ ଅଭିନୟ କରୁ କରୁ ଆଉ ରାମ ରାମ ଡାକୁ ଡାକୁ ହିଁ ତାଙ୍କ ପ୍ରାଣ ଚାଲିଯାଇଛି।

ayodha
Image Credit: Aajtak

କୁହାଯାଉଛି ଯେ ଏହି ଘଟଣା ବିଜନୌର ଜିଲ୍ଲାର ହସନପୁର ଗାଁରେ ଘଟିଛି। ଏଠାରେ ଅକ୍ଟୋବର ୨ରେ ରାମଲୀଳା ମଞ୍ଚସ୍ଥ ହୋଇଥିଲା। ଅକ୍ଟୋବର ୧୪ ଦିନ ରାମଙ୍କ ବନ ଗମନ ଦୃଶ୍ୟ ମଞ୍ଚସ୍ଥ ହୋଇଥିଲା। ଏହି ସମୟରେ ଦଶରଥ ଭୂମିକାରେ ଅଭିନୟ କରୁଥିବା ରାଜେନ୍ଦ୍ର ସିଂହ ରାମ ବନକୁ ଯିବା ବେଳେ ତାଙ୍କ ବିୟୋଗରେ ସତରେ ମଞ୍ଚ ଉପରେ ପ୍ରାଣ ତ୍ୟାଗ କରି ନିସ୍ତେଜ ପଡ଼ିଯାଇଥିଲେ। କିନ୍ତୁ ଦର୍ଶକ ଏହାକୁ ତାଙ୍କ ଚମତ୍କାର ଅଭିନୟ ଭାବି ତାଳି ମାରିଥିଲେ ଓ ଭୁରି ଭୁରି ପ୍ରଶଂସା କରିଥିଲେ।

ଦୃଶ୍ୟ ସରିବା ପରେ ପରଦା ପଡ଼ିଥିଲା। କିନ୍ତୁ ରାଜେନ୍ଦ୍ର ନ ଉଠିବାରୁ ପ୍ରକୃତ ସତ ଜଣାପଡ଼ିଥିଲା। ସାଥୀ କଳାକାର ତାଙ୍କୁ ଡାକିବାକୁ ଯିବା ବେଳେ ସେ ଆଉ ଉଠି ନଥିଲେ। ରାଜେନ୍ଦ୍ରଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ରାମଲୀଳାରେ ଶୋକର ଛାୟା ଖେଳିଯାଇଥିଲା। ଯେଉଁମାନେ କରତାଳି ଦେଇ ଦଶରଥଙ୍କ ଅଭିନୟକୁ ପ୍ରଶଂସା କରୁଥିଲେ ସେମାନଙ୍କ ଆଖିରେ ଲୁହ ଲହଡ଼ି ଭାଙ୍ଗୁଥିଲା।

ସୂଚନାଯୋଗ୍ୟ ଯେ ରାଜେନ୍ଦ୍ର ସିଂହ ଗତ ୨୦ ବର୍ଷ ଧରି ରାମଲୀଳାରେ ରାଜା ଦଶରଥ ଭୂମିକାରେ ଅଭିନୟ କରିଆସୁଥିଲେ। ତାଙ୍କ ଅଭିନୟ ଏତେ ଜୀବନ୍ତ ଥିଲା ଯେ ଲୋକ ବିଭୋର ହୋଇପଡ଼ୁଥିଲେ। କିନ୍ତୁ ଦିନେ ଏହି ଦଶରଥ ଭୂମିକା କରୁ କରୁ ହିଁ ତାଙ୍କ ପ୍ରାଣ ଚାଲିଯିବ ବୋଲି ସେ କେବେ ବି ଚିନ୍ତା କରିନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.