ହସ୍ପିଟାଲରେ ଏମିତି ଦୁରବସ୍ଥା! ନବଜାତ ଶିଶୁର ଗୋଡ଼ ହାତକୁ କାମୁଡ଼ି କଣା କରିଦେଇଛି ମୂଷା

ଝାଡ଼ଖଣ୍ଡ: ହସ୍ପିଟାଲରେ ନବଜାତକକୁ କାମୁଡ଼ି କ୍ଷତାକ୍ତ କରିଛି ମୂଷା। ମୂଷା କାମୁଡ଼ାରେ ଛୁଆଟିର ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଏଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟିଛି ଝାଡ଼ଖଣ୍ଡର ଏକ ସରକାରୀ ହସ୍ପିଟାଲରେ। ଏଠାକାର ଗିରିଡିହର ଏକ ସରକାରୀ ହସ୍ପିଟାଲରେ ଏକ ନବଜାତ ଶିଶୁର ଗୋଡ଼ ଓ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ମୂଷା କାଟି ଖଣ୍ଡ ଖଣ୍ଡ କରି ଦେଇଛି। ଏ ନେଇ ଜଣାପଡ଼ିବା ପରେ ୨ ଆଉଟ୍‌ସୋର୍ସ କର୍ମଚାରୀଙ୍କୁ ଡ୍ୟୁଟିରୁ ହଟାଇ ଦିଆଯାଇଛି। ନବଜାତ ଶିଶୁ କନ୍ୟାର ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାକୁ ସହିଦ ନିର୍ମଳ ମହତୋ ମେଡିକାଲ କଲେଜ ହସ୍ପିଟାଲ (SNMMCH)କୁ ସ୍ଥାନାନ୍ତର କରାଯାଇଛି। ଏବେ ଶିଶୁର ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

ନବଜାତକର ମା’ ମମତା ଦେବୀ କହିଛନ୍ତି, ଗିରିଡିହ ହସ୍ପିଟାଲର ମଡେଲ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ (ଏମ୍‌ସିଏଚ୍‌) ଓ୍ଵାର୍ଡକୁ ଯେତେବେଳେ ଛୁଆକୁ ଦେଖିବାକୁ ଯାଇଥିଲି, ସେତେବେଳେ ତା’ ଆଣ୍ଠୁରେ ମୂଷା କଟା ଖଣ୍ଡିଆ ଥିଲା। ଏପ୍ରିଲ ୨୯ରେ ଶିଶୁର ଜନ୍ମ ହୋଇଥିଲା। ଜନ୍ମ ପରେ ତାର ନିଃଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ତାକୁ ଏସ୍‌ସିଏଚ୍‌ରେ ଭର୍ତ୍ତି କରାଯାଇଥିବା ନେଇ ମା’ ସୂଚନା ଦେଇଛନ୍ତି।

ଅଧିକାରୀ କହିଛନ୍ତି, ଜିଲ୍ଲା ପ୍ରଶାସନ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଓ ଡ୍ୟୁଟିରେ ମୁତୟନ ଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି। SNMMCH ର ଶିଶୁ ରୋଗ ବିଭାଗର ମୁଖ୍ୟ ଅବିନାଶ କୁମାର କହିଛନ୍ତି, ଶିଶୁର ଆଣ୍ଠୁରେ ଗଭୀର କ୍ଷତ ଦେଖିବାକୁ ମିଳିଛି। କ୍ଷତ ଅଧିକ ଗଭୀର ଥିବାରୁ ଜଣେ ସର୍ଜନଙ୍କୁ ରୋଗୀଙ୍କ ଯତ୍ନ ନେବାକୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି।

ଅନ୍ୟପଟେ ଗିରିଡିହା ଉପାୟୁକ୍ତ ନମନ ପ୍ରିୟେଣ ଲାକଡ଼ା କହିଛନ୍ତି, ଗିରିଡିହ ସଦର ହସ୍ପିଟାଲରେ ଡ୍ୟୁଟିରେ ନିୟୋଜିତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଝାଡ଼ଖଣ୍ଡ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖାଯାଇଛି।

ତେବେ କେବଳ ଏତିକି ନୁହେଁ, ରାଜ୍ୟ ମେଡିକାଲ କଲେଜର ଶବ ଗୃହରେ ଫ୍ରିଜ୍‌ କାମ କରୁନଥିବା ଅଭିଯୋଗ ହୋଇଛି। ଏଠାରେ ରଖାଯାଇଥିବା ଜଣେ ଆମେରିକୀୟ ବ୍ୟକ୍ତିଙ୍କ ଶବକୁ ୧୦ ଦିନ ଧରି ଫ୍ରିଜ୍‌ରେ ରଖାଯାଇଥିଲା। ତାଙ୍କ ପରିଜନ ଆସି ଶବ ନେବା ବେଳକୁ ତାହା ସମ୍ପୂର୍ଣ୍ଣ ଭାବେ ପଚି ଯାଇଥିଲା। ଯାହା ଦେଖି ତାଙ୍କ ପରିଜନ ପୋଲିସରେ ଅଭିଯୋଗ କରିଛନ୍ତି। ଶବ ଗୃହର ଠିକ୍‌ ଭାବେ ଯତ୍ନ ନିଆଯାଉ ନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି। ପ୍ରଶାସନ ପକ୍ଷରୁ ହସ୍ପିଟାଲର ଯତ୍ନ ନେବାକୁ ଦାବି ହୋଇଛି। ହସ୍ପିଟାଲରେ ମୂଷାଙ୍କ ଦୌରାତ୍ମ୍ୟ ବଢ଼ୁଥିବାରୁ ଏଥିପାଇଁ ଗୁରୁତ୍ୱ ଦେବାକୁ ରୋଗୀଙ୍କ ପରିଜନ ଦାବି କରିଛନ୍ତି।

Also Read: ପୁଣିଥରେ ମହିଳାଙ୍କ ପାଇଁ ନୂଆ ନିୟମ ଆଣିଲା ତାଲିବାନ୍‌, ଡ୍ରାଇଭିଂ ଲାଇସେନ୍ସ ଜାରି ନ କରିବାକୁ ଦେଲା କଡ଼ା ନିର୍ଦ୍ଦେଶ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.