ୟୁପି: ଗୋରଖପୁରରୁ ପ୍ରାର୍ଥୀ ରବି କିଶନଙ୍କୁ ନିଜର ସ୍ୱାମୀ ବୋଲି କହିଲେ ମହିଳା, ପତ୍ନୀଙ୍କ ଅଭିଯୋଗ ପରେ ମାମଲା ରୁଜୁ

ଲୋକସଭା ନିର୍ବାଚନ ପୂର୍ବରୁ ବିବାଦ ଘେରକୁ ଆସିଛନ୍ତି ୟୁପି ଗୋରଖପୁରରୁ ବିଜେପି ପ୍ରାର୍ଥୀ ରବି କିଶନ । ଜଣେ ମହିଳା ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ଲୋକସଭା ନିର୍ବାଚନ ପୂର୍ବରୁ ବିବାଦ ଘେରକୁ ଆସିଛନ୍ତି ୟୁପି ଗୋରଖପୁରରୁ ବିଜେପି ପ୍ରାର୍ଥୀ ରବି କିଶନ । ଜଣେ ମହିଳା ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ, ଯାହା ପରେ ରବି କିଶନଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ପୋଲିସ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ରବି କିଶନଙ୍କ ପତ୍ନୀଙ୍କ ଅଭିଯୋଗ ମୁତାବକ, ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିବା ଷଡଯନ୍ତ୍ରରେ ଜଣେ ନେତାଙ୍କ ହାତ ରହିଛି । ଅଭିଯୋଗ ଆଣିଥିବା ମହିଳାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି । ରବି କିଶନଙ୍କ ପତ୍ନୀ ପ୍ରୀତି ଶୁକ୍ଳା ପୋଲିସ ନିକଟରେ ବ୍ଲାକମେଲିଂର ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ ବର୍ଷେ ପୂର୍ବରୁ ମଧ୍ୟ ସେ ଏହି ମହିଳାଙ୍କ ବିରୋଧରେ ମୁମ୍ବାଇ ପୋଲିସ ନିକଟରେ ବ୍ଲାକମେଲିଂର ଅଭିଯୋଗ କରିଥିଲେ । ନିର୍ବାଚନ ସମୟରେ ମହିଳାଙ୍କ ଦ୍ୱାରା ଅଭିଯୋଗ ଲଗାଇ ନିର୍ବାଚନ ଲଢ଼ୁଥିବା ରବି କିଶନଙ୍କ ଭାବମୂର୍ତ୍ତି ଖରାପ କରିବାକୁ ଷଡଯନ୍ତ୍ର ରଚାଯାଇଛି ।

ଅଭିଯୋଗ ଅନୁସାରେ, ଏହି ମାମଲାରେ ଜଣେ ନେତାଙ୍କ ସହ ଜଣେ ୟୁଟ୍ୟୁବର ମଧ୍ୟ ସମ୍ପୃକ୍ତ ଅଛନ୍ତି । ସେପଟେ ଅଭିଯୋଗ ଆଣିଥିବା ମହିଳାଙ୍କ ସ୍ୱାମୀ, ପୁଅ ଓ ଝିଅ ମଧ୍ୟ ମାମଲାରେ ଅଭିଯୁକ୍ତ ରହିଛନ୍ତି । ସମ୍ପୃକ୍ତ ମହିଳାଙ୍କ ବିବାହକୁ ୩୫ ବର୍ଷ ହେବ ।

ପୋଲିସ ସୂଚନା ମୁତାବକ, ମହାରାଷ୍ଟ୍ରର ଏହି ମହିଳା ରବି କିଶନଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣି ତାଙ୍କୁ ନିଜର ସ୍ୱାମୀ ବୋଲି କହିଛନ୍ତି । ମହିଳା ଜଣକ ଅଭିଯୋଗ କରିଥିଲେ ଯେ ସେ ଓ ରବି କିଶନଙ୍କର ବିବାହ ହୋଇଥିଲା । ସେମାନଙ୍କର ଏକ ଝିଅ ମଧ୍ୟ ଅଛି । କିନ୍ତୁ ଗତ ଏକ ବର୍ଷ ହେବ ରବି ତାଙ୍କ ସହ ଯୋଗାଯୋଗରେ ନାହାନ୍ତି । ସୋସିଆଲ ମିଡିଆରେ ମହିଳାଙ୍କ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ମହିଳା କହିଥିଲେ ଯେ ସେ ଚାହୁଁଛନ୍ତି କି, ରବି ତାଙ୍କୁ ଗ୍ରହଣ କରନ୍ତୁ ଏବଂ ଝିଅକୁ ବାପା ହିସାବରେ ନାମ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.