ଭୟଙ୍କର ସଡ଼କ ଦୁର୍ଘଟଣା, ଗର୍ଭବତୀ ମହିଳାଙ୍କ ସମେତ ଚାଲିଗଲା ପୂରା ପରିବାରର ଜୀବନ

ରାଜସ୍ଥାନ: ଭୟଙ୍କର ସଡ଼କ ଦୁର୍ଘଟଣାରେ ଉଜୁଡ଼ିଗଲା ପୂରା ପରିବାର। ଚାଲିଗଲା ୩ ଜୀବନ। ରାଜସ୍ଥାନର ଅଲବର ଜିଲ୍ଲା ବଡ଼ୋଦାମେବ ଅଞ୍ଚଳରେ କାର ଓ ବାଇକ୍‌ ମଧ୍ୟରେ ଭୀଷଣ ଦୁର୍ଘଟଣାରେ ସ୍ୱାମୀ, ସ୍ତ୍ରୀ ଓ ୬ ବର୍ଷର ଝିଅର ମୃତ୍ୟୁ ଘଟିଛି। ମୃତ ସ୍ତ୍ରୀ ଜଣକ ଗର୍ଭବତୀ ଥିବା ଜଣାଯାଇଛି। ଏଥିରେ ତାଙ୍କ ପୁଅର ଜୀବନ ବଞ୍ଚିଯାଇଛି। ତା’ ଅବସ୍ଥା ଏବେ ଗୁରୁତର ଅଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ଟି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଷ୍ଟ ମର୍ଟମ୍‌ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛି ପୋଲିସ।

ସୂଚନା ମୁତାବକ, ଅଲବରର ଭରତପୁର ରାସ୍ତାରେ ଜୁଗରାବର ଟୋଲ ପାଖରେ ଶୁକ୍ରବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଟୋଲ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ କାର ପ୍ରଥମେ ବାଇକ୍‌କୁ ଧକ୍କା ଦେଇଥିଲା। ତା’ ପରେ ଆଉ ଜଣଙ୍କୁ ମଧ୍ୟ ଧକ୍କା ଦେଇ କିଛି ଦୂର ଯାଏଁ ଘୋଷାଡ଼ି ନେଇଥିଲା। ଗୋଟିଏ ବାଇକ୍‌ରେ ନରେଶ କୁମାର ନିଜ ୩ ମାସର ଗର୍ଭବତୀ ସ୍ତ୍ରୀ ସରିତା, ୬ ବର୍ଷର ଝିଅ ମନ୍ନୁ ଓ ୭ ବର୍ଷର ପୁଅ କୃଷ୍ଣକୁ ନେଇ ଯାଉଥିଲେ। ଅନ୍ୟ ବାଇକ୍‌ରେ ପପୁ ନାମକ ଜଣେ ଯୁବକ ଥିଲେ। ଏହି ଦୁର୍ଘଟଣାରେ ପପୁ ଓ କୃଷ୍ଣ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ଘଟାଇବା ପରେ କିଛି ଦୂର ଯାଇ କାର ମଧ୍ୟ ଓଲଟି ପଡ଼ିଥିଲା।

ପୋଲିସର କହିବାନୁସାରେ, ଟୋଲରୁ କାରକୁ ତୀବ୍ର ବେଗରେ ନେବା କାରଣରୁ କାର ଚାଳକ ନିୟନ୍ତ୍ରଣ ହରାଇଥିଲେ। ଏହି କାରଣରୁ ବୋଧେ ଦୁର୍ଘଟଣା ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।

ଅନ୍ୟପଟେ ଏହି ଘଟଣାରେ ମୃତ ନରେଶଙ୍କ ବୃଦ୍ଧ ବାପା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ସେ ପୁଅ ଓ ବୋହୂ ଘରକୁ ଫେରୁଛନ୍ତି ବୋଲି ତାଙ୍କ ବାଟକୁ ଚାହିଁ ବସିଥିଲେ। ବୋହୂ ଗର୍ଭବତୀ ଥିବାରୁ ପୁଅକୁ ଧୀରେ ଧୀରେ ଗାଡ଼ି ଚଲାଇବାକୁ ପରାମର୍ଶ ମଧ୍ୟ ଦେଇଥିଲେ। କିନ୍ତୁ ସେ ଭାବି ବି ନଥିଲେ ଯେ ପୁଅ ବୋହୂ ଆଉ କେବେ ବି ଫେରିବେ ନାହିଁ। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଛି।

Also Read: କୋଭିଡ୍‌ ୧୯ର ନାଜାଲ ଭ୍ୟାକ୍‌ସିନ୍‌ର ୩ୟ ଫେଜ୍‌ର ସଫଳ ପରୀକ୍ଷଣ, ଖୁବ୍‌ଶୀଘ୍ର ଲଞ୍ଚ୍‌ କରିବ ଭାରତ ବାୟୋଟେକ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.