ଗୁପ୍ତଧନ ଆଶାରେ ଫସିଗଲା ପୂରା ପରିବାର! ଚା’ରେ ବିଷ ମିଶାଇ ପିଆଇ ଦେଲା ତାନ୍ତ୍ରିକ, ମରିଗଲେ ଘରର ୯ ସଦସ୍ୟ

ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ହୋଇଛି। ସମସ୍ତ ସଦସ୍ୟଙ୍କୁ ଜଣେ ତାନ୍ତ୍ରିକ ଓ ତାଙ୍କ ଡ୍ରାଇଭର ମିଶି ହତ୍ୟା କରିଛନ୍ତି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପ୍ରକୃତ ସତ ପଦାକୁ ଆସିଛି। ତେବେ ପ୍ରଥମେ ଏହି ଘଟଣାକୁ ସାମୂହିକ ଆତ୍ମହତ୍ୟା ବୋଲି କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ ଏହା ଏକ ଗଣହତ୍ୟା ବୋଲି ଜଣାପଡ଼ିଛି। ସୂଚନାଥାଉ କି, ଦୁଇ ଭାଇଙ୍କ ପରିବାରର ୯ ଜଣ ସଦସ୍ୟଙ୍କ ମୃତଦେହ ଗତ ଜୁନ୍‌ ୨୦ରେ ଘର ଭିତରୁ ଉଦ୍ଧାର ହୋଇଥିଲା। ଦୁଇ ଭାଇଙ୍କ ମଧ୍ୟରୁ ଜଣେ ଶିକ୍ଷକ ଥିବା ବେଳେ ଜଣେ ଥିଲେ ପଶୁ ଚିକିତ୍ସକ।

ପୋଲିସ ଆଇଜି ମନୋଜ କୁମାର ଲୋହିଆଙ୍କ ମୁତାବକ, ଅବ୍ଦାସ୍‌ ମହମ୍ମଦ ଅଲ୍ଲୀ ନାମକ ତାନ୍ତ୍ରିକ ଦୁଇ ଭାଇ ମାଣିକ ଭନମୋରେ ଓ ପୋପଟ୍‌ ଭନମୋରେଙ୍କ ଘରୁ ଗୁପ୍ତଧନ ଖୋଜିଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ପ୍ରତିବଦଳରେ ସେ ୧ କୋଟି ଟଙ୍କା ମଧ୍ୟ ନେଇଥିଲେ। କିନ୍ତୁ ଯେତେବେଳେ କୌଣସି ଗୁପ୍ତଧନ ମିଳି ନ ଥିଲା, ତ ଭାଇମାନେ ତାନ୍ତ୍ରିକ ଅବ୍ଦାସ୍‌ଙ୍କୁ ଉକ୍ତ ଅର୍ଥରାଶି ଫେରାଇ ଦେବାକୁ କହିଥିଲେ। ହେଲେ ଅବ୍ଦାସ୍‌ ଟଙ୍କା ଫେରସ୍ତ କରିବାକୁ ଚାହୁଁ ନ ଥିଲେ। ଚାପ ବଢ଼ିବାରୁ ସେ ଦୁଇ ଭାଇଙ୍କ ପୂରା ପରିବାରକୁ ରାସ୍ତାରୁ ସଫା କରି ଦେଇଥିଲେ।

ପୋଲିସ ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ଅବ୍ଦାସ୍‌ ନିଜ ଡ୍ରାଇଭର ଧୀରଜଙ୍କ ସହ ମିଶି ଭନମୋରେ ଭାଇଙ୍କ ଘରେ ପହଞ୍ଚିଥିଲେ। ଏଠାରେ ତାନ୍ତ୍ରିକ ଗୁପ୍ତଧନ ଖୋଜିବା ପାଇଁ ଯେତେବେଳେ ତନ୍ତ୍ରମନ୍ତ୍ର ପ୍ରକ୍ରିୟା ଆରମ୍ଭ କରିଥିଲେ, ତ ସେହି ସମୟରେ ସେ ପରିବାରର ସମସ୍ତ ସଦସ୍ୟଙ୍କୁ ଘରର ଛାତ ଉପରକୁ ପଠାଇ ଦେଇଥିଲେ।

murder
photo: The Hindu

ଏହାପରେ ଜଣଙ୍କ ପରେ ଜଣେ ସଦସ୍ୟଙ୍କୁ ତଳକୁ ଡାକି ସେମାନଙ୍କୁ ଚା’ ପିଇବାକୁ ଦେଇଥିଲେ। ତେବେ ଏଥି ପୂର୍ବରୁ ତାନ୍ତ୍ରିକ ଚା’ରେ ବିଷ ଗୋଳାଇ ଦେଇଥିଲେ। ଉକ୍ତ ପାନୀୟକୁ ପିଇବା ପରେ ଭନମୋରେ ପରିବାରର ୯ ଜଣ ସଦସ୍ୟ ବେହୋସ୍‌ ହୋଇ ଯାଇଥିଲେ, ପରବର୍ତ୍ତୀ ସମୟରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

କହି ରଖୁଛୁ, ପୋଲିସକୁ ପ୍ରଥମରୁ ଏହା ଆତ୍ମହତ୍ୟା ବୋଲି ଲାଗିଥିଲା। କାରଣ, ଏହି ଘଟଣାରେ ଦୁଇ ଭାଇଙ୍କ ଘରୁ ସୁଇସାଇଡ୍‌ ନୋଟ୍‌ ମିଳିଥିଲା। ଏଥିରେ ମୃତକଙ୍କ ପରିବାର ସେମାନଙ୍କ ମୃତ୍ୟୁ ପାଇଁ ଋଣ ଆଣିଥିବା ଛୋଟ ବଡ଼ ସାହୁକାରଙ୍କୁ ଦାୟୀ କରିଥିଲେ। ପରେ ପୋଲିସର ତଦନ୍ତ ସଠିକ୍‌ ବାହାରିଥିଲା ଏବଂ ତାନ୍ତ୍ରିକ ଓ ତାଙ୍କ ଡ୍ରାଇଭର ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.