ଦେଶରେ ପ୍ରଥମ ଥର ଜଣେ ସମଲିଙ୍ଗୀ ଓକିଲ ହେବେ ଦିଲ୍ଲୀ ହାଇକୋର୍ଟ ଜଜ୍

ନୂଆଦିଲ୍ଲୀ : ପ୍ରଥମଥର ପାଇଁ ଜଣେ ସମଲିଙ୍ଗୀ ଆଇନଜୀବୀ ହେବେ ଦିଲ୍ଲୀ ହାଇକୋର୍ଟର ବିଚାରପତି । ବରିଷ୍ଠ ଓକିଲ ସୌରଭ କ୍ରିପାଲଙ୍କୁ ଦିଲ୍ଲୀ ହାଇକୋର୍ଟର ବିଚାରପତି କରିବାକୁ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ନେଇଛନ୍ତି। ସବୁଠୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ସେ ଭାରତର ପ୍ରଥମ ସମଲିଙ୍ଗୀ ବିଚାରପତି ହେବେ। ଏହି ନିଷ୍ପତ୍ତି ନ୍ୟାୟପାଳିକାର ଇତିହାସରେ ମଧ୍ୟରେ ଏକ ଉଦାହରଣ ସାଜିବ । ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ କଲେଜିୟମ ସମଲିଙ୍ଗୀ ବିଚାରପତି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି ନିଯୁକ୍ତ ହୁଅନ୍ତି, ତେବେ ସେ ଭାରତର ପ୍ରଥମ ସମଲିଙ୍ଗୀ ବିଚାରପତି ହେବେ।

ଚଳିତ ବର୍ଷ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ଏଥିରେ ସେ ସୌରଭଙ୍କୁ ବିଚାରପତି ଭାବେ ପଦନ୍ନୋତି ଦେବା ପ୍ରସ୍ତାବ ଉପରେ ସ୍ପଷ୍ଟ ମତ ରଖିବାକୁ କହିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୭ରେ ଦିଲ୍ଲୀ ହାଇକୋର୍ଟ କଲେଜିୟମର ମୁଖ୍ୟ ବିଚାରପତି ଜଷ୍ଟିସ ଗୀତା ମିତ୍ତଲ, ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ରବୀନ୍ଦ୍ର ଭଟ୍ଟ ମିଳିତ ଭାବେ ଆଇନଜୀବୀ ସୌରଭ କ୍ରିପାଲଙ୍କୁ ଦିଲ୍ଲୀ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ଦେବାକୁ ସୁପାରିସ କରିଥିଲେ। ସୂଚନାଯୋଗ୍ୟ,୨୦୧୭ରେ ଦିଲ୍ଲୀ ହାଇକୋର୍ଟ କଲେଜିୟମ ଚତୁର୍ଥ ଥର ପାଇଁ ଆଇନଜୀବୀ ସୌରଭ କ୍ରିପାଲଙ୍କୁ ଦିଲ୍ଲୀ ହାଇକୋର୍ଟର ସ୍ଥାୟୀ ବିଚାରପତି ନିଯୁକ୍ତ ସ୍ଥଗିତ କରିଦେଇଥିଲେ।

ସୌରଭ କ୍ରିପାଲ ଦିଲ୍ଲୀର ଏସଟି ଷ୍ଟିଫେନ୍ସ କଲେଜରୁ ସ୍ନାତକ ହାସଲ କରିଛନ୍ତି। ଏଥି ସହିତ, ସେ ଅକ୍ସଫୋର୍ଡ ୟୁନିଭରସିଟିରୁ ସ୍ନାତକୋତ୍ତର ଆଇନ ଡିଗ୍ରୀ ହାସଲ କରିଥିଲେ | ସେହିପରି କ୍ୟାମ୍ବ୍ରେଜ ବିଶ୍ୱବିଦ୍ୟାଳୟରୁ ସେ ମାଷ୍ଟର ଡିଗ୍ରୀ ପାଇଛନ୍ତି । ଏଥି ସହିତ ସେ ଜେନେଭାରେ ମିଳିତ ଜାତିସଂଘ ସହିତ ମଧ୍ୟ କାର୍ଯ୍ୟ କରିଛନ୍ତି। ‘ନବତେଜ ସିଂ ଜୋହର ବନାମ ୟୁନିଅନ ଅଫ୍ ଇଣ୍ଡିଆ’ ମାମଲାରେ ସୌରଭଙ୍କ ଖ୍ୟାତି ଜଣାଶୁଣା । ୨୦୧୮ରେ ଧାରା ୩୭୭କୁ ଉଚ୍ଛେଦ କରିଥିବା ସାମ୍ବିଧାନିକ ବେଞ୍ଚ ନିକଟରେ ଦାଖଲ ହୋଇଥିବା ଆବେଦନ ପଛରେ ସୌରଭ କ୍ରିପାଲ ଥିଲେ। ନିକଟରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟର ସମସ୍ତ ୩୧ ଜଣ ବିଚାରପତି ମିଳିତ ଭାବେ ବରିଷ୍ଠ ଆଇନଜୀବୀର ମାନ୍ୟତା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.