Below header

ଶ୍ରେଣୀ ଅନୁସାରେ ସ୍କୁଲ ବ୍ୟାଗ୍‌ର ଓଜନ ନିର୍ଦ୍ଧାରିତ, ବିଦ୍ୟାଳୟରେ ଗୋଟିଏ ଦିନ ପାଳନ ହେବ ‘ନୋ ବ୍ୟାଗ୍‌ ଡେ’

ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବ୍ୟାଗ୍‌ର ଓଜନ ନିର୍ଦ୍ଧାରିତ କରିଛନ୍ତି କର୍ଣ୍ଣାଟକ ସରକାର। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବ୍ୟାଗ୍‌ର ଓଜନ ନିର୍ଦ୍ଧାରିତ କରାଯାଇଛି। ଏଭଳି ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର। ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ବୁଧବାର ରାଜ୍ୟର ସ୍କୁଲଗୁଡ଼ିକୁ ୨୦୧୯ ପରିପତ୍ର ପୁଣିଥରେ ଜାରି କରିଛି। ଏହା ସହିତ ଆଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସବୁ ବ୍ଲକର ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଜାରି ପରିପତ୍ର ଅନୁସାରେ, ସ୍କୁଲରେ ସପ୍ତାହରେ ଗୋଟିଏ ଦିନ ‘ନୋ ବ୍ୟାଗ୍‌ ଡେ’ ପାଳନ କରାଯିବ। ଅର୍ଥାତ୍‌ ଏହି ଦିନ କେହି ବି ପିଲା ବିଦ୍ୟାଳୟକୁ ବ୍ୟାଗ୍‌ ନେଇ ଆସିବେ ନାହିଁ। ବ୍ୟାଗ୍‌ର ସର୍ବାଧିକ ଓଜନ ପିଲାଙ୍କ ଓଜନର ୧୫ ପ୍ରତିଶତରୁ ଅଧିକ ହେବ ନାହିଁ।

ଗାଇଡ୍‌ଲାଇନ ଅନୁସାରେ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ବ୍ୟାଗ୍‌ର ଓଜନ ୧.୫ରୁ ୨ କିଲୋ ଏବଂ ତୃତୀୟରୁ ୫ମ ଶ୍ରେଣୀ ପିଲାଙ୍କ ବ୍ୟାଗ୍‌ର ଓଜନ ୨ରୁ ୩ କିଲୋ ରହିବ। ସେହିପରି ୬ଷ୍ଠରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ୩ରୁ ୪ କିଲୋ ଏବଂ ୯ମରୁ ୧୦ମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ବ୍ୟାଗ୍‌ର ଓଜନ ୪ରୁ ୫ କିଲୋ ରହିବା ଏହାବ୍ୟତୀତ ପରିପତ୍ରରେ ଉଲ୍ଲେଖ କରାଯାଇଛି କି, ବିଦ୍ୟାଳୟଗୁଡ଼ିକ ସପ୍ତାହରେ ଗୋଟିଏ ଦିନ ‘ନୋ ବ୍ୟାଗ୍‌ ଡେ’ ପାଳନ କରିବେ।

କହି ରଖୁଛୁ, ବ୍ୟାଗ୍‌ର ଓଜନ ଯୋଗୁ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ପ୍ରଭାବର ଅନୁଧ୍ୟାନ ଲାଗି ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି। ଡା. ବିପି ନିରଞ୍ଜନରାଧ୍ୟା କମିଟି ଦେଇଥିବା ସୁପାରିଶ କ୍ରମେ ଏହି ନିର୍ଦ୍ଦେଶ ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.