ଜଣାଶୁଣା ତାମିଲ୍‌ ରାପର୍‌ଙ୍କୁ ରାସ୍ତାରୁ ଅପହରଣ କରିନେଲେ ୧୦ ଦୁର୍ବୃତ୍ତ, ଟଙ୍କା କରଜକୁ ନେଇ ଥିଲା ବିବାଦ

ଜଣାଶୁଣା ସିଙ୍ଗର୍‌ ତଥା ରାପର୍‌ ହନି ସିଂଙ୍କୁ ଗତକାଲି ହତ୍ୟା ଧମକ ମିଳିବା ପରେ ଆଜି ତାମିଲ୍‌ ରାପର୍‌ ଦେବ ଆନନ୍ଦଙ୍କୁ ଅପହରଣ କରି ନିଆଯାଇଛି। ଦେବ ଆନନ୍ଦଙ୍କୁ ଚେନ୍ନାଇ-ବେଙ୍ଗାଲୁରୁ ରାଜପଥରୁ ଅପହରଣ କରାଯାଇଛି।

ଜଣାଶୁଣା ସିଙ୍ଗର୍‌ ତଥା ରାପର୍‌ ହନି ସିଂଙ୍କୁ ଗତକାଲି ହତ୍ୟା ଧମକ ମିଳିବା ପରେ ଆଜି ତାମିଲ୍‌ ରାପର୍‌ ଦେବ ଆନନ୍ଦଙ୍କୁ ଅପହରଣ କରି ନିଆଯାଇଛି। ଦେବ ଆନନ୍ଦଙ୍କୁ ଚେନ୍ନାଇ-ବେଙ୍ଗାଲୁରୁ ରାଜପଥରୁ ଅପହରଣ କରାଯାଇଛି। ସେ ନିଜ ଘରକୁ ଫେରୁଥିବା ବେଳେ ୧୦ ଜଣ ଯୁବକ ତାଙ୍କୁ ଅପହରଣ କରି ନେଇଥିବା ଜଣାପଡ଼ିଛି। ପୋଲିସ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି।

ପୋଲିସ ସୂଚନା ଅନୁସାରେ, ଦେବ ଆନନ୍ଦଙ୍କ ପରିବାର ଲୋକେ ଏ ନେଇ ଥାନାରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଛନ୍ତି ଏବଂ ଯାଞ୍ଚରୁ ଜଣାପଡ଼ିଛି ଯେ ରାପର୍‌ଙ୍କୁ ବୁଧବାର ରାତିରେ ଏକ ୧୦ ଜଣିଆ ଗୋଷ୍ଠୀ ଅପହରଣ କରି ନେଇଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି। ସିସିଟିଭି ଫୁଟେଜ୍‌ରେ ନଜର ଆସୁଥିବା ଯୁବକମାନଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯାଇ ପାରିନାହିଁ।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ଦେବ ଆନନ୍ଦଙ୍କ ଭାଇ ଜଣେ ବ୍ୟକ୍ତିଙ୍କଠାରୁ ୨.୫ କୋଟି ଟଙ୍କା କରଜ ନେଇଥିଲେ ଏବଂ ପଇସା ଫେରାଇ ନ ଥିଲେ, ଯାହାକୁ ନେଇ ବିବାଦ ରହିଥିଲା। ତେବେ ଏହି କଥା ସହ ଦେବ ଆନନ୍ଦଙ୍କ ଅପହରଣର କ’ଣ ସମ୍ପର୍କ ରହିଛି, ତାହା ପୋଲିସ ତଦନ୍ତ କରୁଛି।

ସେପଟେ ଗତକାଲି ସିଙ୍ଗର୍‌ ହନି ସିଂଙ୍କୁ ହତ୍ୟା ଧମକ ମିଳିଛି। ଏ ନେଇ ସିଙ୍ଗର୍‌ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ କାନାଡାରେ ଥିବା ଗ୍ୟାଙ୍ଗଷ୍ଟାର୍‌ ଗୋଲ୍ଡି ବରାର୍‌ ତାଙ୍କୁ ଧମକପୂର୍ଣ୍ଣ ଭଏସ୍‌ ନୋଟ୍‌ ପଠାଇଛନ୍ତି।

ଦିଲ୍ଲୀ ପୋଲିସ ଅନୁସାରେ, ହନି ସିଂ ବୁଧବାର ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ର ସ୍ପେଶାଲ ସିପିଙ୍କୁ ଭେଟିଥିଲେ। ଗୋଲ୍ଡି ବରାର୍‌ ଭଏସ୍‌ ନୋଟ୍‌ ଜରିଆରେ ହନି ସିଂଙ୍କୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ସ୍ପେଶାଲ ସେଲ୍‌ ଭଏସ୍‌ ନୋଟ୍‌ ଯାଞ୍ଚ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ହନି ପୋଲିସ ନିକଟରେ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.