କି ଅବସ୍ଥାରେ ବାବା! କିସ୍‌ କରି ଜିଭ ଛିଣ୍ଡାଇ ଦେଲେ ଯୁବତୀ, ଚଢ଼େଇ ଆସି ନେଇଗଲା କଟା ଜିଭ

ଲୋକଙ୍କ ଭିତରେ ଝଗଡ଼ା ହେବା ଏକ ସାଧାରଣ କଥା। କିନ୍ତୁ ଝଗଡ଼ା ପରେ ବୋଧେ କେହି କାହାକୁ କିସ୍‌ କରିବାର କେବେ କେହି ଶୁଣିନଥିବେ। ମାତ୍ର ଏଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟିଛି ସ୍କର୍ଟଲ୍ୟାଣ୍ଡରେ। ସ୍କର୍ଟଲ୍ୟାଣ୍ଡର ରାଜଧାନୀ ଏଡିନ୍‌ବର୍ଗରେ ଝଗଡ଼ା ପରେ ଜଣେ ମହିଳା ଯୁବକଙ୍କୁ କିସ୍‌ କରିବା ପରେ ତା’ ଜିଭକୁ କାମୁଡ଼ି ଛିଣ୍ଡାଇ ଦେଇଛନ୍ତି। ଫଳରେ ଯୁବକ ସାରା ଜୀବନ ପାଇଁ ମୁକ ହୋଇଯାଇଛନ୍ତି।

ଏଡିନ୍‌ବର୍ଗରେ ହୋଇଥିବା ଏହି ଅଦ୍ଭୁତ ଝଗଡ଼ା ମାମଲା ୨୦୧୯ର। କୋର୍ଟରେ ଏହାର ଶୁଣାଣି ଚାଲିଥିବାରୁ ପୁଣିଥରେ ଚର୍ଚ୍ଚାକୁ ଆସିଛି ଏହି ଘଟଣା। ରାସ୍ତାରେ ଯାଉଥିବା ବେଳେ ଜେମ୍ସ ମେକେଞ୍ଜୀଙ୍କର ୨୭ ବର୍ଷୀୟା ବେଥନୀ ରିନ୍‌ଙ୍କ ସହ କୌଣସି କାରଣରୁ ଝଗଡ଼ା ହୋଇଥିଲା। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି, ସେମାନେ ପରସ୍ପରକୁ ଜାଣିନଥିଲେ। ତେବେ ଝଗଡ଼ା ମଝିରେ ବେଥନୀ ହଠାତ୍‌ ଜେମ୍ସଙ୍କ ନିକଟକୁ ଆସିଥିଲେ ଓ ତାଙ୍କୁ କିସ୍‌ କରିବାକୁ ଲାଗିଥିଲେ। ଏହି କିସ୍‌ ଯୋଗୁ ସବୁଦିନ ପାଇଁ ଜେମ୍ସ ମୁକ ହୋଇଯାଇଥିଲେ। କାରଣ ବେଥନି କିସ୍‌ କରିବା ବେଳେ ତାଙ୍କ ଜିଭକୁ ଦାନ୍ତରେ କାମୁଡ଼ି ଛିଣ୍ଡାଇ ଦେଇଥିଲେ ଓ ତାହାକୁ ରାସ୍ତାରେ ଫିଙ୍ଗି ଦେଇଥିଲେ। ଏହି ସମୟରେ ପାଖରେ ଥିବା ଏକ ସିଗଲ ପକ୍ଷୀ ତାଙ୍କ କଟା ଜିଭ ନେଇ ଉଡ଼ିଯାଇଥିଲା।

ଜିଭ କଟିଯିବାରୁ ଜେମ୍ସଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଏଣୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର କଟା ଜିଭ ନଥିବାରୁ ତାଙ୍କ ଜିଭ ଯୋଡ଼ି ହୋଇପାରିନଥିଲା। ଫଳରେ ସାରା ଜୀବନ ପାଇଁ ସେ ମୁକ ହୋଇଯାଇଛନ୍ତି। ସେ ସୁସ୍ଥ ହେବା ପରେ ଏନେଇ ଅଭିଯୋଗ କରିଥିଲେ।
ରିପୋର୍ଟ ମୁତାବକ, ଏବେ କୋର୍ଟରେ ମାମଲା ଚାଲିଛି। ଶୁଣାଣି କରିବା ଅବସରରେ କୋର୍ଟ କହିଛନ୍ତି, ପ୍ରଥମେ ଜେମ୍ସ ଯୁବତୀଙ୍କ ଉପରକୁ ହାତ ଉଠାଇଥିଲେ। ତା’ପରେ ସେ ଜିଭକୁ କାମୁଡ଼ିଥିଲେ। ଏହି ମାମଲାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.