ଧରା ପଡ଼ିଲା ଶତ୍ରୁର ଚାଲ୍‌, ଜମ୍ମୁ କଶ୍ମୀର ସୀମାରେ ଠାବ ହେଲା ୪୦ ମିଟର ଲମ୍ବର ସୁଡ଼ଙ୍ଗ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀର ସ୍ଥିତ ସାମ୍ବା ସେକ୍ଟର ନିକଟ ଅନ୍ତର୍ଜାତୀୟ ସମୀରେ ବିଏସ୍‌ଏଫ୍‌ ଠାବ କରିଛି ଏକ ଦୀର୍ଘତମ ସୁଡ଼ଙ୍ଗ । ସନ୍ଦେହ କରାଯାଉଛି କି ଗତ ଗୁରୁବାର ଦିନ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀର ଚାରିଜଣ ସଦସ୍ୟ ଏହି ସୁଡ଼ଙ୍ଗ ଦେଇ ଭାରତରେ ପ୍ରବେଶ କରିଥିଲେ । ସେମାନେ ଏକ ଟ୍ରକ୍‌ରେ ବସି କଶ୍ମୀରକୁ ଯାଉଥିବା ବେଳେ ଜମ୍ମୁ ଅନ୍ତର୍ଗତ ନଗରୋଟ ସ୍ଥିତ ଏକ ଟୋଲପ୍ଲାଜାରେ ଟ୍ରକ୍‌କୁ ଅଟକା ଯାଇଥିଲା । ଏହି ସମୟରେ ସୁରକ୍ଷା କର୍ମୀଙ୍କ ସହ ସେମାନଙ୍କର ଗୁଳି ବିନିମୟ ହୋଇଥିଲା ଓ ଚାରିଜଣ ଯାକ ଆତଙ୍କବାଦୀ ନିହତ ହୋଇଥିଲେ ।

ମୃତ ଆତଙ୍କବାଦୀଙ୍କ ଠାରୁ ୧୧ଟି ଏକେ-୪୭ ରାଇଫଲ, ୨୯ଟି ଗ୍ରେନେଡ୍‌, ୬ଟି ୟୁବିଜିଏଲ୍‌ ଗ୍ରେନେଡ୍‌ ଜବତ ହୋଇଛି । ଆସନ୍ତା ୨୮ ତାରିଖରୁ ରାଜ୍ୟରେ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ହେବ । ଏହି ସମୟରେ ହିଂସାକାଣ୍ଡ ଘଟାଇବା ଉଦ୍ଦେଶ୍ୟରେ ଏହି ଆତଙ୍କବାଦୀମାନେ ପାକିସ୍ତାନ ପଟୁ ଆସୁଥିଲେ । ଏମାନଙ୍କ ଠାରୁ ମିଳିଥିବା ଜିନିଷପତ୍ରରୁ ଏହି ଗୁପ୍ତ ସୁଡ଼ଙ୍ଗ ବିଷୟରେ ଜଣାପଡ଼ିଛି ବୋଲି ବିଏସ୍‌ଏଫ୍‌ ଅଧିକାରୀ ସୂଚନା ଦେଇଛନ୍ତି । ଏହି ସୁଡ଼ଙ୍ଗର ଲମ୍ବ ୩୦ରୁ ୪୦ ମିଟର । ଉଭୟ ବିଏସ୍‌ଏଫ୍‌ ଓ ସେନାର ଯବାନ୍‌ମାନେ ଏହାର ଯାଞ୍ଚ କରିଛନ୍ତି । ଏହି ସୁଡ଼ଙ୍ଗ ନୂଆ କରି ଖୋଳା ଯାଇଛି । ଏହି ବାଟ ଦେଇ ଆସିଥିବା ଆତଙ୍କବାଦୀଙ୍କୁ କେହି ଜଣେ ଗାଇଡ୍‌ ଭାବେ ରାସ୍ତା ବତାଇ ଜମ୍ମୁ ହାଇେଓ୍ଵ ଯାଏ ଆଣିଛି ବୋଲି ବିଏସ୍‌ଏଫ୍‌ ଅଧିକାରୀ ଅନୁମାନ କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.