ସରକାରଙ୍କୁ ୨୦୦ ଟଙ୍କା ଏବଂ ସାଧାରଣ ଲୋକଙ୍କ ପାଇଁ ୧୦୦୦ ଟଙ୍କା ରହିବ ଟିକାର ଦାମ୍ : ଆଦର ପୁନାୱାଲା

ଭାରତରେ ଏହି ମାସରୁ କରୋନା ଭ୍ଯାକସିନ ଦିଆଯିବା ପାଇଁ ଅଭିଯାନ ଆରମ୍ଭ ହେଉଛି। ଭାରତରେ ଦୁଇଟି କରୋନା ଟିକାକୁ ଅନୁମତି ମିଳିସାରିଛି। କୋଭିସିଲ୍ଡ ଓ ସ୍ବଦେଶୀ କରୋନା ଟିକା କୋଭାକ୍ସିନଙ୍କୁ ଜରୁରିକାଳୀନ ବ୍ୟବହାର ପାଇଁ ସରକାର ଅନୁମତି ପ୍ରଦାନ କରିବା ପରେ ଏବେ ଟିକାକରଣକୁ ଅପେକ୍ଷା ରହିଛି। ଅନ୍ୟପଟେ କରୋନା ଭ୍ୟାକସିନ୍ ର ଦାମ ସାଧାରଣ ଲୋକଙ୍କ ପାଇଁ କେତେ ରହିବ ସେନେଇ ଚର୍ଚ୍ଚା ଆଲୋଚନା ଚାଲିଛି। ଭ୍ୟାକସିନ୍ ଦାମକୁ ନେଇ ସିରମ ଇନଷ୍ଟିଚ୍ଯୁଟର ସିଇଓ ଆଦର ପୁନାଓ୍ବାଲା ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଅକ୍ସଫୋର୍ଡ ଭ୍ୟାକ୍ସିନ୍ ସରକାରଙ୍କୁ ୨୦୦ ଟଙ୍କାରେ ଦିଆଯିବାକୁ ଥିବା ବେଳେ ଲୋକମାନଙ୍କୁ ଏହି ଟିକା ୧୦୦୦ ଟଙ୍କାରେ ମିଳିବ।
ପୁନେରେ ସିରମ ଇନଷ୍ଟିଚ୍ଯୁଟରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର କରୋନା ଭ୍ୟାକ୍ସିନ୍ କୋଭିସିଲ୍ଡର ପ୍ରସ୍ତୁତ ଚାଲିଛି। ରବିବାର ଡ୍ରଗ୍ କଂଟ୍ରୋଲର ଜେନେରାଲ୍ ଅଫ ଇଣ୍ଡିଆ କୋଭିସିଲ୍ଡ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଭାରତରେ ଖୁବଶୀଘ୍ର ଟିକାକରଣ ଆରମ୍ଭ ହୋଇଯିବ ବୋଲି କୁହାଯାଉଛି।
ଶନିବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଭ୍ୟାକ୍ସିନ୍ ର ଡ୍ରାଏ ରନ୍ କରାଯାଇଛି। ଭାରତ ସରକାରଙ୍କ ବ୍ୟତୀତ ୟୁରୋପୀୟ ସଂଘ ଭ୍ୟାକ୍ସିନ୍ ନିର୍ମାତାଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିଛି। ସରକାରଙ୍କୁ ଏହି ଟିକା ୨୦୦ ଟଙ୍କା ଏବଂ ପ୍ରାଇଭେଟ ମାର୍କେଟରେ ୧ ହଜାର ଟଙ୍କାରେ ମିଳିବ। ଫାଇଜର-ବାୟୁଏନଟେକ୍ ଟିକା ଠାରୁ କୋଭିସିଲ୍ଡ ଶସ୍ତା ଓ ପରିବହନ ପାଇଁ ସହଜ ବୋଲି ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି।
ବିଶ୍ବର ସବୁଠୁ ବଡ଼ ଭ୍ୟାକ୍ସିନ୍ ନିର୍ମାତା ସିରମ ଇନଷ୍ଟିଚ୍ଯୁଟ ପ୍ରତି ମାସରେ ୫୦ରୁ ୬୦ ମିଲିୟନ କୋଭିସିଲ୍ଡ ଡୋଜ୍ ପ୍ରସ୍ତୁତ କରୁଛି। ମୁଖ୍ୟ କଥା ହେଉଛି ୨୦୨୧ ମଧ୍ୟ ଭାଗ ସୁଦ୍ଧା ଭାରତ ସରକାର ୧୩୦ କୋଟିରୁ ଅଧିକ ଲୋକଙ୍କୁ ଭ୍ୟାକ୍ସିନ୍ ଦେବାକୁ ଲକ୍ଷ୍ୟ ରଖିଛନ୍ତି।