ତାମିଲନାଡୁରେ ଭୟଙ୍କର ସଡ଼କ ଦୁର୍ଘଟଣା: ୭ ମୃତ, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସହାୟତା ରାଶି କଲେ ଘୋଷଣା

ତାମିଲନାଡୁ ତିରୁପଥୁର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁହୋଇଛି । ମହିଳାମାନେ କର୍ଣ୍ଣାଟକରୁ ଫେରୁଥିବା ବେଳେ ଗାଡି ଚକା ଫାଟି ଯିବାରୁ ରାସ୍ତା କଡରେ ବସିଥିଲେ । ଦ୍ରୁତଗତିରେ ଆସୁଥିବା ଏକ ଗାଡି ଏମାନଙ୍କ ଉପରେ ମାଡିଯାଇଥିଲା ।

ତାମିଲନାଡ଼ୁର ତିରୁପଥୁର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଗାଡି ଖରାପ ହୋଇଯିବାରୁ ରାସ୍ତାକଡରେ ବସିଥିବା ସମୟରେ ମାଡିଗଲା ଟ୍ରକ୍। ମହିଳାମାନେ କର୍ଣ୍ଣାଟକରୁ ଫେରୁଥିଲେ । ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତବାକ, ପୀଡିତମାନେ ଦୁଇଟି ଭ୍ୟାନ ଜରିଆରେ ଘରକୁ ଫେରୁଥିଲେ । ତିରୁପଥୁର ଜିଲ୍ଲାର ଏକ ସ୍ଥାନରେ ହଠାତ୍ ସେମାନଙ୍କ ଗାଡି ର ଟାୟାର ଫାଟିଯାଇଥିଲା । ଫଳରେ ଯାତ୍ରୀ ଗାଡିରୁ ଓହ୍ଲାଇ ବସିଥିବା ବେଳେ ଡ୍ରାଇଭର ଗାଡିର ଚକା ମରାମତି କରୁଥିଲେ । ତେବେ ହଠାତ୍‌ ବେଙ୍ଗାଲୁର ପଟୁ ଆସୁଥିବା ଏକ ଲରି ଭ୍ୟାନକୁ ପଛପଟୁ ଧକ୍କା ଦେବା ସହିତ ବସିଥିବା ମହିଳାଙ୍କ ଉପରେ ମାଡିଯାଇଥିଲା । ଘଟଣା ସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ତିରୁପଥୁର ଏବଂ ବାନିୟମବାଡି ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ଏହି ଘଟଣାରେ ମୃତକଙ୍କ ପରିଜନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଗଭୀର ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୃତକଙ୍କ ପରିଜନଙ୍କୁ ୨-୨ ଲକ୍ଷ ଟଙ୍କାର ସହାୟତା ରାଶି ଆହତଙ୍କୁ ୫୦-୫୦ ହଜାର ଟଙ୍କା ଘୋଷଣା କରିଛନ୍ତି । ସେହିପରି ଷ୍ଟାଲିନ ମଧ୍ୟ ପୀଡିତଙ୍କ ପରିବାରଙ୍କୁ ୧-୧ ଲକ୍ଷ ଟଙ୍କା ଘୋଷଣା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିରୁ ୫୦-୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.