ସିକ୍କିମ୍‌ ବନ୍ୟା ବିପର୍ଯ୍ୟୟ: ଦୁଇ ସପ୍ତାହ ପରେ ମିଳିଲା ଆଉ ୨ ମୃତଦେହ, ୭୬ ଲୋକ ଏବେ ବି ନିଖୋଜ

ସିକ୍କିମରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଅନେକ ଲୋକଙ୍କ ଜୀବନ ନେଇଛି। ଅନେକ ଘର ଧ୍ୱଂସ ହୋଇଯାଇଛି। ବନ୍ୟାର ପାଖାପାଖି ଦୁଇ ସପ୍ତାହ ପରେ ମଧ୍ୟ ମୃତଦେହ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ମଙ୍ଗଳବାର ଆଉ ଦୁଇଟି ମୃତଦେହ ଜବତ କରାଯାଇଥିବା ବେଳେ ବନ୍ୟାରେ ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି।

ସିକ୍କିମରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଅନେକ ଲୋକଙ୍କ ଜୀବନ ନେଇଛି। ଅନେକ ଘର ଧ୍ୱଂସ ହୋଇଯାଇଛି। ବନ୍ୟାର ପାଖାପାଖି ଦୁଇ ସପ୍ତାହ ପରେ ମଧ୍ୟ ମୃତଦେହ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ମଙ୍ଗଳବାର ଆଉ ଦୁଇଟି ମୃତଦେହ ଜବତ କରାଯାଇଥିବା ବେଳେ ବନ୍ୟାରେ ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି। ଏହି ବନ୍ୟାରେ ଏବେ ବି ୭୬ ଜଣ ଲୋକ ନିଖୋଜ ଅଛନ୍ତି, ଯେଉଁମାନଙ୍କୁ ଖୋଜାଖୋଜି କରାଯାଉଛି।

ସିକ୍କିମ୍ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ମୁତାବକ, ଅଧିକାଂଶ ମୃତଦେହ ପାକୟୋଙ୍ଗ୍‌ ଜିଲ୍ଲାରେ ଜବତ କରାଯାଇଛି। ଏହି ଜିଲ୍ଲାରୁ ଏ ପର୍ଯ୍ୟନ୍ତ ୨୬ଟି ମୃତଦେହ ମିଳିଛି। ସେମାନଙ୍କ ମଧ୍ୟରେ ୧୫ ଜଣ ସାଧାରଣ ନାଗରିକ ହୋଇଥିବା ବେଳେ ୧୧ ଜଣ ହେଉଛନ୍ତି ସେନାର ଯବାନ। ସେପଟେ ୪ ମୃତଦେହ ମଙ୍ଗନ, ୮ ଗାଙ୍ଗ୍‌ଟକ୍‌ ଏବଂ ଦୁଇଟି ନାମଚିରୁ ଉଦ୍ଧାର ହୋଇଛି।

କହି ରଖୁଛୁ, ଅକ୍ଟୋବର ୪ରେ ବାଦଲ ଫଟା ବର୍ଷା ପରେ ତିସ୍ତା ନଦୀରେ ହଠାତ୍ ବନ୍ୟା ପାଣି ମାଡ଼ି ଆସିଥିଲା, ଯାହାଫଳରେ ସିକ୍କିମରେ ବଡ଼ ଧରଣର ବିପର୍ଯ୍ୟୟ ସୃଷ୍ଟି ହୋଇଥିଲା। ଏହି ବିପର୍ଯ୍ୟୟରେ ପାଖାପାଖି ୮୮,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରକୃତିର ପ୍ରକୋପରେ ଅନେକ ଘର ନଷ୍ଟ ହୋଇଯାଇଛି। ଲୋକମାନେ ଭୂମିହୀନ ହୋଇ ଶରଣାର୍ଥୀ ଶିବିରରେ ଆଶ୍ରୟ ନେଇଛନ୍ତି।