Below header

ହୋଲିରେ ସିସୋଦିଆଙ୍କ ଟ୍ୱିଟ୍: ପୂର୍ବତନ ଡେପୁଟି ସିଏମଙ୍କ ଟ୍ୱିଟକୁ ନେଇ ରାଜନୈତିକ ମହଲରେ ହଇଚଇ!

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଆକାଉଣ୍ଟରୁ ହୋଲି ଦିନ ଏକ ଟ୍ୱିଟ କରାଯାଇଛି, ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ସିସୋଦିଆଙ୍କ ଉପରେ ଅଭିଯୋଗ ରହିଛି କି, ସେ ଜେଲରେ ମୋବାଇଲ ବ୍ୟବହାର କରୁଛନ୍ତି।

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି। ଏହାରି ଭିତରେ ହୋଲି ସନ୍ଧ୍ୟାରେ ତାଙ୍କର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଟ୍ୱିଟ କରାଯାଇଥିଲା, ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ସିସୋଦିଆଙ୍କ ଏହି ଟ୍ୱିଟକୁ ନେଇ ବିଜେପି ତାଙ୍କ ଉପରେ ଆକ୍ରମଣ କରିଛି। ସିସୋଦିଆଙ୍କ ଉପରେ ଅଭିଯୋଗ ରହିଛି କି, ସେ ଜେଲରେ ମୋବାଇଲ ବ୍ୟବହାର କରୁଛନ୍ତି।

ବିଜେପି ସାଂସଦ ପ୍ରବେଶ ବର୍ମା ଟ୍ୱିଟ କରିଛନ୍ତି, ‘ଜେଲରେ ମନୀଷ ସିସୋଦିଆଙ୍କ ପାଖରେ ଫୋନ୍’? ସୂଚନାଥାଉକି, ଫେବୃଆରୀ ୨୬ରେ ସିବିଆଇ ଦ୍ୱାରା ଗିରଫ ହେବା ପରଠାରୁ ଏ ପର୍ଯ୍ୟନ୍ତ ମନୀଷ ସିସୋଦିଆ କୌଣସି ଟ୍ୱିଟ୍ କରିନାହାନ୍ତି। ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ହୋଲି ସନ୍ଧ୍ୟାରେ ପ୍ରଥମ ଥର ପାଇଁ ଏକ ଟ୍ୱିଟ୍ କରାଯାଇଛି, ଯାହାକୁ ନେଇ ବିବାଦ ଉପୁଜୁଛି।

ମନୀଷ ସିସୋଦିଆ ଟ୍ୱିଟରେ ଲେଖିଛନ୍ତି, ‘ଆଜି ପର୍ଯ୍ୟନ୍ତ ଶୁଣିଥିଲି କି, ଦେଶରେ ସ୍କୁଲ ଖୋଲାଥାଏ ତ ଜେଲ ବନ୍ଦ ହୋଇଥାଏ। କିନ୍ତୁ ବର୍ତ୍ତମାନ ଏହି ଲୋକମାନେ ଦେଶରେ ସ୍କୁଲ ଖୋଲିଥିବା ଲୋକଙ୍କୁ ଜେଲ ବନ୍ଦ କରିବା ଆରମ୍ଭ କରିଛନ୍ତି’।

ତେବେ ସେପଟେ ଅନୁମାନ କରାଯାଉଛି କି, ସିସୋଦିଆଙ୍କର ଏହି ଆକାଉଣ୍ଟକୁ ତାଙ୍କ ସୋସିଆଲ ମିଡିଆ ଟିମ କିମ୍ବା ତାଙ୍କ ପତ୍ନୀ ପରିଚାଳନା କରୁଛନ୍ତି। ଏହି ଦୁହିଁଙ୍କ ଭିତରୁ ଜଣଙ୍କ ଦ୍ୱାରା ଟ୍ୱିଟ କରାଯାଇଛି। ଯଦିଓ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ଆସିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.