ମହାରାଷ୍ଟ୍ର ମହାନାଟକ, ମୁମ୍ବାଇରୁ ଯାଇ ଦିଲ୍ଲୀରେ ପହଞ୍ଚିଲା ଡ୍ରାମା

କେନ୍ୟୁଜ୍(ବ୍ୟୁରୋ): ମହାରାଷ୍ଟ୍ର ମହାନାଟକରେ ପ୍ରତି ଘଣ୍ଟାରେ ବଦଳୁଛି ରାଜନୈତିକ ଚିତ୍ର। ମୁମ୍ବାଇରୁ ଯାଇ ଦିଲ୍ଲୀରେ ପହଞ୍ଚିଛି ଡ୍ରାମା। ରାଜ୍ୟପାଳ, ଦେବେନ୍ଦ୍ର ଫଡ୍‌ନାଭିସ ଓ ଅଜିତ ପାୱାରଙ୍କୁ ଶପଥ ପାଠ କରାଇବା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ଶିବସେନା, ଏନ୍‌ସିପି ଓ କଂଗ୍ରେସ କରିଥିବା ଆବେଦନର ଶୁଣାଣି ଆଜି ଦିନ ୧୧ଟା ୩୦ ମିନିଟରେ ହେବ। ତିନିଦଳ ଆଜି ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଆବେଦନ କରିଛନ୍ତି। ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ସେପଟେ ଏନ୍‌ସିପି ବିଧାୟକ ଦଳ ନେତା ପଦରୁ ଅଜିତ ପାୱାରଙ୍କୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ଜୟନ୍ତ ପାଟିଲଙ୍କୁ ଏନ୍‌ସିପି ବିଧାୟକ ଦଳର ନୂଆ ନେତା ଭାବେ ଚୟନ କରାଯାଇଛି । ଗତକାଲି ସଂଧ୍ୟାରେ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ଦ୍ୱାରା ଡକାଯାଇଥିବା ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦଳୀୟ ଶୃଙ୍ଖଳା ବାହାରକୁ ଯାଇ ଅଜିତ ପାୱାର୍‌ ବିଜେପି ସହ ମିଶି ସରକାର ଗଠନ ନେଇ ଶପଥପାଠ କରିଥିଲେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଦେବେନ୍ଦ୍ର ଫଡ୍‌ନାଭିସ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଅଜିତ ପାୱାର ।

Leave A Reply

Your email address will not be published.