ବିମୁଦ୍ରୀକରଣକୁ ଛଅ ବର୍ଷ : କଣ ସମସ୍ତେ ଭୁଲି ଗଲେଣି ନୋଟ୍‌ବନ୍ଦୀ ଯନ୍ତ୍ରଣାକୁ ?

୨୦୧୬ ମସିହା ଆଜିର ଦିନ । ରାତି ୮ଟାରେ ଅଚାନକ ସବୁ ଟେଲିଭିଜନ ପରଦାକୁ ଚାଲି ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଘୋଷଣା କଲେ ବିମୁଦ୍ରୀକରଣ ବିଷୟରେ । ସମସ୍ତଙ୍କୁ ଅଚମ୍ବିତ କରି ଦେଲେ । ସ୍ତବଧ କରିଦେଲେ । ନିର୍ଦ୍ଧାରିତ ସମୟ ଦିଆଗଲା, ତା ଭିତରେ ୫ ଶହ ଓ ୧ ହଜାର ଟଙ୍କିଆ ନୋଟ୍ ସବୁକୁ ପ୍ରତ୍ୟାହାର କରିନେବେ ସରକାର । ଏହି ଘୋଷଣା ପଛରେ ମୋଦି ତିନିଟି କାରଣ କହିଥିଲେ । ଦେଶରୁ କଳାଧନ ଶେଷ କରିବା, ଜାଲ୍ ନୋଟ୍ ସମସ୍ୟା ଦୂର କରିବା ଏବଂ ଆତଙ୍କବାଦୀଙ୍କ ପାଖକୁ ଯାଉଥିବା ଟଙ୍କା ଉପରେ ରୋକ ଲଗାଇବା ।

ସେତେବେଳେ ସାଧାରଣ ଲୋକେ ଏହାକୁ ନେଇ ଅନେକ ସମସ୍ୟାରେ ପଡ଼ିଥିଲେ । ଅର୍ଥନୀତି ବିଶେଷଜ୍ଞମାନେ ଏହାର କଡ଼ା ସମାଲୋଚନା କଲେ । ତେବେ ସରକାର ତାଙ୍କ ନିଷ୍ପତ୍ତିରେ ଅଟଳ ରହିଲେ । ଏହି ଘଟଣାକୁ ଆଜି ୬ ବର୍ଷ ପୂରିଛି । ଆଉ ଭାରତୀୟ ଅର୍ଥ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଘଟିଛି ।

ଉଦାହରଣ ସ୍ୱରୂପ ବ୍ୟାଙ୍କ ୠଣ ଦେବା କ୍ଷମତାରେ ସୁଧାର ଆସିଲା, ଡିଜିଟାଲ କାରବାର ବଢ଼ିଲା, ଟିକସ ଚୋରି କମିବା ସହ ସରକାରଙ୍କ ଟ୍ରେଜେରୀକୁ ଅଧିକ ଅର୍ଥ ଗଲା । ଲୋକମାନେ ମଧ୍ୟ ଡିଜିଟାଲ ପେମେଣ୍ଟରେ ଅଭ୍ୟସ୍ତ ହେଲେ ଏବଂ କାଗଜ ନୋଟ୍ର କାରବାର କମିଲା ।

ତଥାପି ଭାରତୀୟ ରିଜର୍ଭ ବ୍ୟାଙ୍କର ଆକଳନ ଅନୁସାରେ ଚଳିତ ବର୍ଷ ଅକଟୋବର ୨୧ ତାରିଖ ସୁଦ୍ଧା ଦେଶର ଲୋକଙ୍କ ପାଖରେ ୩୦.୮୮ ଲକ୍ଷ କୋଟି ନୋଟ୍ ରହିଥିଲା । ଏତେ ସବୁ ଭିତରେ ଆଜି ଯେତେବେଳେ ରାତି ଅଧରୁ ଆମେ ଲୋକଙ୍କୁ ଡଙ୍ଗା ଭସାଇବା ଦେଖିଲୁ ଓ ବାଣ ଫୁଟାଇ କାର୍ତ୍ତିକ ପୂର୍ଣ୍ଣିମା ପାଳୁଥିବାର ଦେଖିଲୁ ସେତେବେଳେ ମନକୁ ଆସିଲା କଣ ସମସ୍ତେ ଭୁଲି ଗଲେ ନଭେମ୍ବର ୮ ତାରିଖକୁ ? ସେ ସମୟର ମାନସିକ ଚାପ ଓ ଏଟିଏମ୍ ଏବଂ ବ୍ୟାଙ୍କରେ ଲମ୍ବା ଧାଡ଼ିରେ ଠିଆ ହେବାର କଷ୍ଟକୁ ? ଏ ସବୁକୁ ଦେଖିଲେ ଏତିକି କୁଆଯାଇପାରେ, ବୋଧହୁଏ ଭୁଲିଯିବା ଆମର ଏକ ପ୍ରବୃତ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.