ମହଙ୍ଗା ହୋଇପାରେ ସ୍ମାର୍ଟଫୋନ, ଟିଭି ଓ ଲାପ୍‌ଟପ; ଜାଣନ୍ତୁ କ’ଣ ରହିଛି କାରଣ

କିଛି ଦିନ ଶାନ୍ତ ରହିବା ପରେ ପୁଣି ପ୍ରଭାବ ବିସ୍ତାର ଆରମ୍ଭ କରିଛି କରୋନା। ବଢ଼ୁଥିବା ମାମଲାର ଏଣିକି ସିଧା ପ୍ରଭାବ ସ୍ମାର୍ଟଫୋନ, ଟିଭି ଏବଂ ଲାପ୍‌ଟପ ଭଳି ଇଲେକ୍ଟ୍ରୋନିକ୍ସ ଜିନିଷର ଦାମ୍‌ ଉପରେ ପଡ଼ିପାରେ। କରୋନା ସଂକ୍ରମଣ ଯୋଗୁ ବର୍ତ୍ତମାନ ଚୀନର କେତେକ ସହରରେ ପୁଣି ଲକ୍‌ଡାଉନ ଲାଗିଛି। ଚୀନର ଟେକ୍‌ ହବ କୁହାଯାଉଥିବା ଶେନଝେନ ଅଞ୍ଚଳରେ ଲକଡାଉନ କାରଣରୁ ଏପଟେ ଟିଭି, ଲାପ୍‌ଟପ ଏବଂ ସ୍ମାର୍ଟଫୋନର ଦାମ୍‌ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। କାରଣ, ଏହି ଅଞ୍ଚଳ ବିଶ୍ୱରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ସବୁଠାରୁ ବଡ଼ ଯୋଗାଣକାରୀଙ୍କ ମଧ୍ୟରୁ ଅନ୍ୟତମ।

International Data Corporationର ରିସର୍ଚ୍ଚ ନିର୍ଦ୍ଦେଶକ ନଭକେନ୍ଦ୍ର ସିଂଙ୍କ ମୁତାବକ, ଭାରତକୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯୋଗାଣର ପାଖାପାଖି ୨୦ରୁ ୫୦ ପ୍ରତିଶତ ଚୀନର ଶେନଝେନରୁ ଆସିଥାଏ। ଆଉ ଯଦି କରୋନା ସଂକ୍ରମଣ ଏବଂ ଲକଡାଉନ ଭଳି ପରିସ୍ଥିତି ପୁଣିଥରେ ସୃଷ୍ଟି ହୋଇଥାଏ, ତ ନିଶ୍ଚିତ ରୂପେ ଏହାର ପ୍ରଭାବ ସବୁ ପ୍ରକାର ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଉପରେ ଦେଖିବାକୁ ମିଳିବ। ଉତ୍ପାଦଗୁଡ଼ିକର ଦାମ୍‌ ବଢ଼ିଲେ ମୂଲ୍ୟ ବୃଦ୍ଧିର ବୋଝ ସିଧା ଉପଭୋକ୍ତମାନଙ୍କ ଉପରେ ପଡ଼ିବ।

ନଭକେନ୍ଦ୍ର ସିଂ ଆହୁରି କହିଥିଲେ ଯେ ଯଦି ଶେନଝେନ ସହରରେ ଲକଡାଉନ ୩ ସପ୍ତାହ କିମ୍ବା ଏହାଠୁ ଅଧିକ ପର୍ଯ୍ୟନ୍ତ ଚାଲେ, ତ ଏହା ଜୁନ ତ୍ରିମାସ ଏବଂ ସେପ୍ଟେମ୍ବର ତ୍ରିମାସରେ ସ୍ମାର୍ଟଫୋନ ଓ ପର୍ସନାଲ କମ୍ପ୍ୟୁଟରର ଶିପ୍‌ମେଣ୍ଟକୁ ପ୍ରଭାବିତ କରିବ। Counterpoint Researchର ରିସର୍ଚ୍ଚ ନିର୍ଦ୍ଦେଶକ ତରୁଣ ପାଠକଙ୍କ ଅନୁସାରେ, ସ୍ମାର୍ଟଫୋନ ଦାମ୍‌ ୫ରୁ ୭ ପ୍ରତିଶତ ବଢ଼ିପାରେ। ସେପଟେ ବିଶେଷଜ୍ଞମାନଙ୍କ କହିବା ହେଲା, Appleକୁ ଛାଡ଼ି ଅଧିକାଂଶ ସ୍ମାର୍ଟଫୋନ ବ୍ରାଣ୍ଡ ୨-୩%ର ମାମୁଲି ଲାଭ ଉପରେ କାମ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.