ଲକଡାଉନ ଯୋଗୁ ଶୂନ ହୋଇଗଲା ପୁଅର ରୋଜଗାର, ମା’କୁ ପଠାଇ ଦେଲା ବୃଦ୍ଧାଶ୍ରମ

ପୁଅର ରୋଜଗାର ନଥିବାରୁ ମା’କୁ ନେଇ ଛାଡ଼ି ଆସିଲା ବୃଦ୍ଧାଶ୍ରମରେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ। କରୋନା ଲକଡାଉନ ଯୋଗୁ ପୁଅର ରୋଜଗାର ଶୂନ ହୋଇଯିବାରୁ ସେ ମା’କୁ ଘରେ ରଖିବାକୁ ମନା କରିଦେଇଥିଲା। ଫଳରେ ଆଉ କିଛି ବାଟ ନ ପାଇ ୬୦ ବର୍ଷୀୟ କିରଣ ପରଦିକର ବୃଦ୍ଧାଶ୍ରମ ଯାଇଛନ୍ତି। ସୂଚନାଯୋଗ୍ୟ ଯେ ସ୍ୱାମୀଙ୍କ ମୃତ୍ୟୁ ପରେ କିରଣ ସିଲେଇ କରି ପୁଅକୁ ବଡ଼ କରିଥିଲେ।

ଏନେଇ ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି, ମହିଳାଙ୍କ ପୁଅ କୋର୍ଟ ପାଖରେ ଏକ ବହି ଦୋକାନ ଖୋଲିଥିଲେ। କିନ୍ତୁ ଲକଡାଉନ ଯୋଗୁ ଗତବର୍ଷଠୁ ତାହା ବନ୍ଦ ଅଛି। ତେବେ ବୋହୂ ସହ ମତଭେଦ ଯୋଗୁ କିରଣଙ୍କ ପାଇଁ ତାଙ୍କ ପୁଅ ଏକ ଭଡ଼ା ଘର ନେଇଥିଲେ। ସେଠାରେ ସେ ମା’ଙ୍କ ଖାଇବା ପିଇବା ବନ୍ଦୋବସ୍ତ ମଧ୍ୟ କରିଥିଲେ।

କିନ୍ତୁ ପୁଅର ଆର୍ଥିକ ସ୍ଥିତି ଭଲ ନଥିବାରୁ କିରଣ ସ୍ଥାନୀୟ ଥାନାକୁ ଯାଇ ତାଙ୍କ ପାଇଁ ଏକ ବୃଦ୍ଧାଶ୍ରମ ବ୍ୟବସ୍ଥା କରିଦେବାକୁ ଅନୁରୋଧ କରିଥିଲେ। ପରେ ତାଙ୍କର ‘ମାତାଶ୍ରୀ ବୃଦ୍ଧାଶ୍ରମ’ରେ ରହିବା ବ୍ୟବସ୍ଥା କରାଯାଇଛି। ମହିଳା ଜଣକ ଏବେ ସେଠାରେ ହିଁ ଅଛନ୍ତି। ତେବେ ଭଗବାନ ତାଙ୍କ ପୁଅକୁ ଖୁସିରେ ରଖନ୍ତୁ ବୋଲି ବୃଦ୍ଧା ପ୍ରାର୍ଥନା କରିଛନ୍ତି।