Below header

ଘୁଙ୍ଗୁଡ଼ି ଯୋଗୁ ନିଦ ଭାଙ୍ଗିଲା ବୋଲି ରାଗରେ ବାପାଙ୍କୁ ପିଟି ପିଟି ମାରି ଦେଲା କୁଳାଙ୍ଗାର ପୁଅ

ଶୋଇବା ବେଳେ ନିଜ ଅଜାଣତରେ ଲୋକମାନେ ଘୁଙ୍ଗୁଡ଼ି ମାରିବା ଏକ ସାଧାରଣ କଥା। କିନ୍ତୁ ଏହି ଘୁଙ୍ଗୁଡ଼ି ମାରିବା ଏବେ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛି। ଆଉ କେହି ପରଲୋକ ନୁହେଁ ବରଂ ନିଜ ପୁଅ ହିଁ ବାପାକୁ ଘୁଙ୍ଗୁଡ଼ି ମାରୁଥିବାରୁ ହତ୍ୟା କରିଛି। ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ପିଲିଭିତ ଜିଲ୍ଲାରେ। ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଥିବା ଜଣାଯାଇଛି। ଗିରଫ ହେବା ପରେ ଅଭିଯୁକ୍ତ ଯାହା କହିଛି ତାହା ଶୁଣିଲେ ନିଜ ଲୋକ ଉପରୁ ବି ବିଶ୍ୱାସ ଉଠିଯିବ।

ଅଭିଯୁକ୍ତ ନବୀନ(୨୮) କହିଛି ଯେ ମଙ୍ଗଳବାର ସାନ ଭାଇ ମନୋଜ ମା’ଙ୍କୁ ନେଇ ମାମୁ ଘରକୁ ଯାଇଥିଲେ। ଘରେ ଥିଲେ ନବୀନ ଓ ତାଙ୍କ ବାପା ରାମ ସ୍ୱରୂପ(୬୫)। ରାତିରେ ଖାଇସାରିବା ପରେ ବାପା ପୁଅ ଶୋଇବାକୁ ଯାଇଥିଲେ। ଘରେ ଆଉ କେହି ନଥିବାରୁ ଉଭୟେ ଗୋଟିଏ ଖଟର ଶୋଇଥିଲେ।

murder

ନିଘୋଡ଼ ନିଦରେ ଶୋଇବା ପରେ ରାମସ୍ୱରୂପ ଘୁଙ୍ଗୁଡ଼ି ମାରିଥିଲେ। ବାପାଙ୍କ ଘୁଙ୍ଗୁଡ଼ି ଯୋଗୁ ଶୋଇପାରିନଥିଲେ ନବୀନ। ଏଣୁ ବାପାଙ୍କୁ ଡାକିଥିଲେ ଓ ଘୁଙ୍ଗୁଡ଼ି ନମାରିବାକୁ କହିଥିଲେ। ରାମସ୍ୱରୂପ କହିଥିଲେ ଏହା ତାଙ୍କର ପୁରୁଣା ଅଭ୍ୟାସ। ଗୋଟିଏ ରାତିରେ କେମିତି ଛାଡ଼ିବି। ତୁ ବରଂ ଆର ପଟ ଘରେ ଶୋଇପଡ଼। ଏହା ଶୁଣିବା ପରେ ନବୀନ ରାଗିଯାଇଥିଲା ଓ ବାପାଙ୍କୁ ଉଠି ଚାଲିଯିବାକୁ କହିଥିଲା। ରାମସ୍ୱରୂପ ମନା କରିବାରୁ ପାଖରେ ଥିବା ବଡ଼ ଠେଙ୍ଗା ଆଣି ନବୀନ ବାପାଙ୍କ ମୁଣ୍ଡକୁ ପାହାରେ ଦେଇଥିଲା। ଫଳରେ ରାମ ସ୍ୱରୂପ ଚିତ୍କାର କରିବା ସହ ଘଟଣାସ୍ଥଳରେ ଅଚେତ୍‌ ହୋଇପଡ଼ିଥିଲେ।

ରାମସ୍ୱରୂପଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଆସିବାରୁ ନବୀନ ସ୍ଥାନ ଛାଡ଼ି ଚାଲିଯାଇଥିଲା। ପଡ଼ୋଶୀମାନେ ରକ୍ତାକ୍ତ ଅବସ୍ଥାରେ ରାମସ୍ୱରୂପଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଖବର ପାଇ ମନୋଜ ମା’ଙ୍କୁ ଧରି ଆସିବା ବେଳକୁ ରାମ ସ୍ୱରୂପଙ୍କ ମୃତ୍ୟୁ ଘଟିସାରିଥିଲା। ମନୋଜ ଏନେଇ ଭାଇ ନାଁରେ ବାପାଙ୍କୁ ମାରିଥିବା ନେଇ ଅଭିଯୋଗ କରିଛି। ପୋଲିସ ପହଞ୍ଚି ଘଟଣାର ଯାଞ୍ଚ କରୁଥିବା ବେଳେ ସାମାନ୍ୟ ଘୁଙ୍ଗୁଡ଼ି ପାଇଁ ଜଣଙ୍କ ଜୀବନ ଯାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.