ଦେଶ ଛାଡି ମାଳଦ୍ୱୀପରେ ଲୁଚିଥିଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା, ଆଜି ସିଙ୍ଗାପୁର ଯିବେ ବୋଲି ଚର୍ଚ୍ଚା !

ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ଜାରି । ରାଜଧାନୀ କଲମ୍ବୋ ସହ ଶ୍ରୀଲଙ୍କାର ପଶ୍ଚିମ ଭାଗରେ ଅନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି । ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ତଥା କାର୍ଯ୍ୟକାରୀ ରାଷ୍ଟ୍ରପତି ରନିଲ ବିକ୍ରମାସିଙ୍ଘେ । ରାତିଅଧରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେ ଦେଶ ଛାଡ଼ି ପଳାଇଛନ୍ତି । ସେ ମାଳଦ୍ୱୀପରେ ଏବେ ଅଛନ୍ତି । ଆଜି ରାତିରେ ସିଙ୍ଗାପୁର ପଳାଇ ଯିବେ ବୋଲି ଚର୍ଚ୍ଚା ହେଉଛି । ଏବେ ମାଲଦ୍ୱୀପର ଏକ ରିସୋର୍ଟରେ ରହୁଛନ୍ତି ଗୋଟାବାୟା ରାଜପାକ୍‌ସେ । ସେ ଦେଶ ଛାଡ଼ି ପଳାଇବା ପରେ ତୀବ୍ର ହୋଇଛି ବିକ୍ଷୋଭ ପ୍ରଦର୍ଶନ । ଗୋଟାବାୟାଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି ଆନ୍ଦୋଳନକାରୀ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଧସେଇ ପଶିଛନ୍ତି ହଜାର ହଜାର ବିକ୍ଷୋଭକାରୀ । ଏହାକୁ ଦଖଲକୁ ନେବା ସହ କାର୍ଯ୍ୟାଳୟ ଉପରେ ଦେଶର ଜାତୀୟ ପତାକା ଉଡ଼ାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଧସେଇ ପଶିବା ବେଳେ ମୁହାଁମୁହିଁ ହୋଇଥିଲେ ବିକ୍ଷୋଭକାରୀ ଓ ସୁରକ୍ଷା ବାହିନୀ। କିଛି ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନ ପାଚେରୀ ଡେଇଁ ପଶିବାରୁ ସୁରକ୍ଷା ବାହିନୀ ଲାଠି ଚାର୍ଜ ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଦଙ୍ଗାକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଯାନବାହନ ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ରନିଲଙ୍କ ବାସଭବନରେ ବିକ୍ଷୋଭକାରୀ ପଶିବାର ଆଶଙ୍କାରେ ଆକାଶ ମାର୍ଗରୁ ସୁରକ୍ଷାର ନୀରିକ୍ଷଣ କରିଛି ସୁରକ୍ଷା ବାହିନୀ । ଆଜି ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିବା ବେଳେ ଭୋରରୁ ମାଲଦୀପ ପଳାୟନ କରିଛନ୍ତି ଗୋଟାବାୟା ରାଜପାକ୍‌ସେ। ପତ୍ନୀ ଓ ୨ ସୁରକ୍ଷା କର୍ମୀଙ୍କ ସହ ଶ୍ରୀଲଙ୍କା ଏୟାର ଫୋର୍ସର ବିମାନରେ ମାଲେ ଚାଲିଯାଇଥିବା କଲମ୍ବୋ ବିମାନବନ୍ଦରର ଇମିଗ୍ରେସନର ଅଧିକାରୀ କହିଛନ୍ତି। ତେବେ ମାଲେରେ କେଉଁଠି ଅଛନ୍ତି ସେ ନେଇ କୌଣସି ସୂଚନା ନାହିଁ। ଶୋଚନୀୟ ଆର୍ଥିକ ସଙ୍କଟ ପାଇଁ ଶ୍ରୀଲଙ୍କାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଖାଦ୍ୟ, ଔଷଧ, ଅତ୍ୟାବଶ୍ୟକ ସାମଗ୍ରୀ ସହ ତୈଳର ଘୋର ଅଭାବ ଦେଖାଯାଇଛି। ଦେଶର ବିପର୍ଯ୍ୟୟ ସ୍ଥିତି ପାଇଁ ରାଷ୍ଟ୍ରପତି ଗୋଟାବାୟା ଓ ତାଙ୍କ ପରିବାରକୁ ଦାୟୀ କରିଛନ୍ତି ଶ୍ରୀଲଙ୍କାବାସୀ। ଏପଟେ ଗୋଟାବାୟାଙ୍କୁ ସୁବିଧା ଯୋଗାଇବା ନେଇ ଖବରକୁ ଖଣ୍ଡନ କରିଛି ଭାରତୀୟ ଦୂତାବାସ । ଶ୍ରୀଲଙ୍କାବାସୀଙ୍କୁ ଭାରତର ସମର୍ଥନ ଜାରି ରହିବ ବୋଲି ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.