ପୁଣି ବଡ ପଦରେ ଓଡ଼ିଆ ପୁଅ , RBIର ଏକଜୁକ୍ୟୁକ୍ଟିଭ ଡ଼ାଇରେକ୍ଟର ଭାବେ ନିଯୁକ୍ତି ପାଇଲେ ରାଧା ଶ୍ୟାମ ରଥ

ଜଣେ ଓଡିଶା ଜନ୍ମିତ ଅଧିକାରୀ ଶ୍ରୀ ରାଧା ଶ୍ୟାମ ରଥଙ୍କୁ କେନ୍ଦ୍ର ସରକାର ଆରବିଆଇ ବା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଏକଜୁକୁଟିଭ ଡ଼ାଇରେକ୍ଟର ଭାବେ ନିଯୁକ୍ତ ଦେଇଛନ୍ତି । ଶ୍ରୀ ରଥ ଆରବିଆଇର ଫାଇନାନସିଲ ମାର୍କେଟ ଅପରେସନ ଡିପାର୍ଟମେଣ୍ଟ, ଡିପାର୍ଟମେଣ୍ଟ ଅଫ ଏକ୍ସଟରନାଲ ଇନଭେଷ୍ଟମେଣ୍ଟ ଆଣ୍ଡ ଅପରେସନ, ଲିଗାଲ ଡିପାର୍ଟମେଣ୍ଟ ଆଣ୍ଡ ସେକ୍ରେଟାରୀ ଡିପାର୍ଟମେଣ୍ଟର ଦାୟିତ୍ୱ ତୁଲାଇବେ । ଏକଜୁକୁଟିଭ ଡ଼ାଇରେକ୍ଟର ଭାବେ ପଦୋନ୍ନତି ପାଇବା ପୂର୍ବରୁ ଶ୍ରୀ ରଥ ଆରବିଆଇର ଫାଇନାନସିଆଲ ମାର୍କେଟ ଅପରେସନ ଡିପାର୍ଟମେଣ୍ଟର ଚିଫ ଜେନେରାଲ ମ୍ୟାନେଜର ଭାବରେ କାର୍ଯ୍ୟରତ ଥିଲେ ।

ନିଜ 30 ବର୍ଷର ଦୀର୍ଘ କ୍ୟାରିୟର ଭିତରେ ଶ୍ରୀ ରଥ ଅରବିଆଇର ଫାଇନାନସିଆଲ ମାର୍କେଟ, ଏକ୍ସଟରନାଲ ଇନଭେଷ୍ଟମେଣ୍ଟ ଓ ଅପରେସନ, ବ୍ୟାଙ୍କିଙ୍ଗ ଆଦି କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି । ଏହା ବାଦ ଚେନ୍ନାଇ ସ୍ଥିତ ରିଜର୍ଭ ବ୍ୟାଙ୍କ ଷ୍ଟାଫ କଲେଜର ଅଧ୍ୟାପକ ଭାବରେ ମଧ୍ୟ କିଛି ଦିନ ଦାୟିତ୍ୱ ତୁଲାଇଛନ୍ତି ।ରାଧା ଶ୍ୟାମ ହେଉଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତ୍ରିନାଥ ରଥ ଓ ସାରଳା ରଥଙ୍କ ପୁଅ । ରାଉରକେଲା ସ୍ଥିତ ଇସ୍ପାତ ଇଂଲିଶ ମିଡିୟମ ସ୍କୁଲ ଓ ବ୍ରହ୍ମପୁରର ଭିନସେଣ୍ଟ କନଭେନ୍ଟ ସ୍କୁଲରୁ ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ ।

ପରେ ରାଉରକେଲାର ଇସ୍ପାତ କଲେଜରୁ ସ୍ନାତକ କରିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକତ୍ତୋର ଶିକ୍ଷା ଶେଷ କରିଥିଲେ । ଏହାବାଦ ଏମ୍ବିଏ, ବ୍ୟାଙ୍କିଙ୍ଗ ଓ ଫାଇନାନ୍ସରେ ଏମଏସସି ମଧ୍ୟ କରିଛନ୍ତି | ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ବ୍ୟାଙ୍କିଙ୍ଗ ଏଣ୍ଡ ଫାଇନାନ୍ସରୁ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି ।୧୯୯୧ ମସିହାରେ ସେ ଅରବିଆଇର ମ୍ୟାନେଜର ଭାବେ ପ୍ରଥମେ ନିଯୁକ୍ତି ପାଇଥିଲେ । କହିରଖିବା ଉଚିତ ହେବକି, ବର୍ତ୍ତମାନ ସମୟରେ ଶ୍ରୀ ରଥଙ୍କ ବ୍ୟତୀତ ଅନ୍ୟ ଚାରି ଜଣ ଓଡ଼ିଆ ଅଧିକାରୀ ଭାରତର ସର୍ବୋଚ୍ଚ ବ୍ୟାଙ୍କର ଉଚ୍ଚପଦରେ ନିଯୁକ୍ତି ପାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.