ଫ୍ରିଜ୍‌ର ବାସି ଚିକେନ୍‌ ନୁଡୁଲ୍ସ ଖାଇ ବିଗିଡ଼ିଲା ଛାତ୍ରଙ୍କ ସ୍ୱାସ୍ଥ୍ୟ, ଡାକ୍ତରଙ୍କୁ କାଟିବାକୁ ପଡ଼ିଲା ଗୋଡ଼!

ଫ୍ରିଜ୍‌ର ବାସି ନୁଡୁଲ୍ସ ଖାଇବା ଜଣେ ଛାତ୍ରଙ୍କୁ ମହଙ୍ଗା ପଡ଼ିଛି। ଛାତ୍ରଙ୍କ ଅବସ୍ଥା ଏତେ ଅଧିକ ଖରାପ ହୋଇଯାଇଥିଲା ଯେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେବାକୁ ପଡ଼ିଥିଲା। ସେଠାରେ ଡାକ୍ତରମାନେ ଛାତ୍ରଙ୍କ ଜୀବନ ରକ୍ଷା ପାଇଁ ତାଙ୍କର ଦୁଇଟି ଗୋଡ଼ ଏବଂ ହାତ ଆଙ୍ଗୁଠିଗୁଡ଼ିକୁ କାଟି ଦେଇଥିଲେ।

ସାଧାରଣତଃ ଦେଖାଯାଏ, ଲୋକମାନେ ଘରର ବଳକା ଖାଦ୍ୟଗୁଡ଼ିକୁ ଫ୍ରିଜ୍‌ରେ ରଖି ଦିଅନ୍ତି ଏବଂ ଆବଶ୍ୟକ ପଡ଼ିଲେ ପରଦିନ ଏହାକୁ ଖାଆନ୍ତି। କିନ୍ତୁ ବୋଧହୁଏ ଆପଣ ଏହା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏ ପ୍ରକାରର ଲାଇଫ୍‌ଷ୍ଟାଇଲ ଆପଣଙ୍କୁ ଅପଙ୍ଗ ବି କରିଦେଇପାରେ। ଏମିତି ହିଁ ଏକ ଘଟଣା ଜଣେ ଛାତ୍ରଙ୍କ ଜୀବନରେ ଘଟିଛି। ଏଠାରେ ଛାତ୍ର ଜଣକ ଫ୍ରିଜରେ ରଖାଯାଇଥିବା ବାସି ଚିକେନ୍ ନୁଡୁଲ୍ସ ଖାଇଥିଲେ। ଏହାପରେ ସେ ଏତେ ଅସୁସ୍ଥ ହୋଇ ପଡ଼ିଥିଲେ ଯେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ତାଙ୍କର ଦୁଇ ଗୋଡ କାଟି ଦେଇଥିଲେ।

ରିପୋର୍ଟ ମୁତାବକ, ଜେସି ନାମକ ଛାତ୍ରଙ୍କ ରୁମମେଟ୍‌ ରେଷ୍ଟୁରାଣ୍ଟରୁ ଚିକେନ୍ ନୁଡୁଲ୍ସ ଅର୍ଡର କରିଥିଲେ। ସେ ଅବଶିଷ୍ଟ ନୁଡୁଲ୍ସକୁ ଫ୍ରିଜରେ ରଖି ଦେଇଥିଲେ, ଯାହାକୁ ଜେସି ପରଦିନ ଖାଇଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା।

ଜେସିଙ୍କ ଶରୀର ଅତିଶୟ ଗରମ ହେବା ସହ ହାର୍ଟ ରେଟ୍‌ ପ୍ରତି ମିନିଟ୍‌ ୧୬୬ ବିଟ୍‌ ପର୍ଯ୍ୟନ୍ତ ପହଞ୍ଚିଯାଉଥିଲା, ଯାହା ଫଳରେ ଡାକ୍ତରମାନେ ତାଙ୍କୁ ବେହୋସ୍‌ କରି ଦେଇଥିଲେ। ରିପୋର୍ଟରେ କୁହାଯାଇଛି ଯେ ମେଡିକାଲରେ ଭର୍ତ୍ତି ହେବାର ୨୦ ଘଣ୍ଟା ପୂର୍ବରୁ ଜେସି ସମ୍ପୂର୍ଣ୍ଣ ଭଲ ଥିଲେ। କିନ୍ତୁ ଫ୍ରିଜର ବାସି ଚିକେନ୍ ନୁଡୁଲ୍ସ ଖାଇବା ପରେ ତାଙ୍କର ପେଟ ଯନ୍ତ୍ରଣା ଏବଂ ବାନ୍ତି ହୋଇଥିଲା। ଏହା ପରେ ପୂରା ଶରୀର ନୀଳ ପଡ଼ି ଯାଇଥିଲା।

ଯାଞ୍ଚରୁ ଜଣା ପଡ଼ିଥିଲା ଯେ ତାଙ୍କୁ ବ୍ୟାକ୍ଟେରିଆ ଇନ୍‌ଫେକ୍ସନ ହୋଇଛି। କିଡନୀ ମଧ୍ୟ କାମ କରିବା ବନ୍ଦ କରିଦେଇଛି। ଏହା ବ୍ୟତୀତ ସେପସିସ୍ ରୋଗ ମଧ୍ୟ ହୋଇଛି, ଯାହାକି ରକ୍ତରେ ଦ୍ରୁତ ଗତିରେ ବ୍ୟାପୁଛି। ଡାକ୍ତରମାନଙ୍କୁ ଛାତ୍ରଙ୍କ ଜୀବନ ବଞ୍ଚାଇବା ପାଇଁ ଆଣ୍ଠୁ ପାଖରୁ ଗୋଡ଼ ଏବଂ ହାତର ଆଙ୍ଗୁଠିଗୁଡ଼ିକୁ କାଟିବାକୁ ପଡ଼ିଥିଲା। ୨୬ ଦିନ ପରେ ଯେତେ ବେଳେ ଜେସିଙ୍କୁ ହୋଶ୍‌ ଆସିଥିଲା, ତ ତାଙ୍କର ପୂରା ଜୀବନ ବଦଳି ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.