ଖୁସି ଖବର! ୟୁକ୍ରେନ୍‌ ଫେରନ୍ତା ଭାରତୀୟ ଛାତ୍ରଛାତ୍ରୀ ରୁଷ୍‌ ବିଦ୍ୟାଳୟରେ ଜାରି ରଖିପାରିବେ ପାଠପଢ଼ା, ଏଠି ମଧ୍ୟ ମିଳିବ ସ୍କଲାରଶିପ୍‌

ରୁଷ୍‌-ୟୁକ୍ରେନ ଯୁଦ୍ଧ ଯୋଗୁ ଏଠାରେ ଅଧ୍ୟୟନରତ ଭାରତୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସଙ୍କଟ ଭିତରକୁ ଚାଲି ଯାଇଛି। ହେଲେ ଏହାରି ଭିତରେ ଏକ ଖୁସି ଖବର ଆସିଛି। ବର୍ତ୍ତମାନ ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ରଛାତ୍ରୀ ରଷିୟାନ୍‌ ୟୁନିଭିର୍ସିଟିରେ ନିଜର ନାମ ଲେଖାଇ ପାରିବେ। ଏଠି ସେମାନେ ନିଜ ପାଠପଢ଼ା ଜାରି ରଖି ପାରିବେ। ନୂଆଦିଲ୍ଲୀରେ ରୁଷୀୟ ଦୂତାବାସ ମିଶନର ଉପ ପ୍ରମୁଖ ରୋମନ ବାବୁସ୍କିନ୍‌ ଏହି ଖୁସି ଖବର ଜଣାଇଛନ୍ତି।

ତାଙ୍କ ମୁତାବକ, ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ରୁଷୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆଡ୍‌ମିଶନ ଦିଆଯିବ, ଯେଉଁଠି ସେମାନେ ନିଜ ସମ୍ବନ୍ଧିତ କୋର୍ସ ସହିତ ପାଠପଢ଼ା ଜାରି ରଖି ପାରିବେ। ରୋମନ ବାବୁସ୍କିନ୍‌ଙ୍କ କହିବା ହେଲା, ଛାତ୍ରଛାତ୍ରୀମାନେ ଯେଉଁଠୁ ନିଜ ପାଠପଢ଼ାକୁ ବିରାମ ଦେଇଥିଲେ ଅର୍ଥାତ୍‌ ଯେଉଁଠୁ କୋର୍ସ ଛାଡ଼ିଥିଲେ, ସେହିଠାରୁ ହିଁ ପାଠପଢ଼ା ଜାରି ରଖି ପାରିବେ। ଏହାଦ୍ୱାରା ସେମାନଙ୍କ ଏକାଡେମିକ୍‌ ବର୍ଷ ବି ଖରାପ ହେବ ନାହିଁ ବୋଲି ବାବୁସ୍କିନ୍‌ କହିଛନ୍ତି।

ରୁଷୀୟ ବିଶ୍ୱବିଦ୍ୟାଳୟରେ ମଧ୍ୟ ନେଇପାରିବେ ସ୍କଲାରଶିପ୍‌

ସୂଚନା ମୁତାବକ, ୟୁକ୍ରେନରେ ଯେଉଁ ଛାତ୍ରଛାତ୍ରୀମାନଙ୍କୁ ସ୍କଲାରଶିପ୍‌ ମିଳୁଥିଲା, ସେମାନଙ୍କୁ ରୁଷ୍‌ ୟୁନିଭର୍ସିଟିରେ ମଧ୍ୟ ସ୍କଲାରଶିପ୍‌ ମିଳି ପାରିବ। ତେବେ ରୁଷୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଫିସ୍‌ ପେମେଣ୍ଟ୍‌ କରିବାକୁ ହେବ। ୟୁକ୍ରେନରେ ଦିଆଯାଇଥିବା ଫିସ୍‌ ଏଠାକାର ୟୁନିଭର୍ସିଟି ପାଇଁ ମାନ୍ୟ ହେବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.