ସମଲିଙ୍ଗୀ ଯୌନ ସଂପର୍କକୁ ନେଇ ସୁପ୍ରିମକୋର୍ଟର ଏଭଳି ମତ !

ନୂଆଦିଲ୍ଲୀ : ସହମତିରେ ସମଲିଙ୍ଗୀ ଯୌନ ସଂପର୍କକୁ ଅପରାଧିକ ଶ୍ରେଣୀରୁ ବାଦ୍ ଦିଆଗଲେ, ଏହାକୁ ନେଇ ଥିବା ସାମାଜିକ ଅପବାଦ ଏବଂ ଘୃଣା ଆପେଆପେ ଦୂର ହେବ । ଏଲଜିବିଟି କମ୍ୟୁନିଟିକୁ ଯେଭଳି ପକ୍ଷପାତ କରାଯାଉଛି, ତାହା ମଧ୍ୟ ଧୀରେଧୀରେ ଦୂରେଇ ଯିବ। ଆଇପିସିର ୩୭୭ ଧାରା ଉଚ୍ଛେଦକୁ ନେଇ ଶୁଣାଣି ଚାଲିଥିବା ବେଳେ ତୃତୀୟ ଦିନରେ ଆଜି ସୁପ୍ରିମକୋର୍ଟ ଏଭଳି ମତ ଦେଇଛନ୍ତି ।

ସମଲିଙ୍ଗୀ ଯୌନ ସଂପର୍କକୁ ଅପରାଧ ବୋଲି ଭାରତୀୟ ସମାଜ ମନେ କରୁଆସୁଛି । ୧୮୬୦ ମସିହା ଆଇପିସିର ୩୭୭ ଧାରାରେ ଏହାକୁ ଅପରାଧ ବୋଲି ବିବେଚନା କରାଯାଇଛି । ଅପ୍ରାକୃତିକ ଯୌନ ସଂପର୍କ ନେଇ ଏହି ଧାରାରେ ରହିଛି ୧୦ ବର୍ଷର କାରାଦଣ୍ଡ ବ୍ୟବସ୍ଥା। ମାମଲାର ଶୁଣାଣି କରୁଥିବା ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ବେଞ୍ଚ୍ ଉଦବେଗ ପ୍ରକାଶ କରିଛନ୍ତି । ଏହି ବର୍ଗର ଲୋକ ସମାଜରେ ପକ୍ଷପାତିତାର ଶିକର ହେଉଥିବା କୋର୍ଟ କହିଛନ୍ତି।

ତେବେ କେନ୍ଦ୍ର ସରକାରଙ୍କ ସତ୍ୟପାଠ ଅନୁଯାୟୀ, ସମଲିଙ୍ଗୀ ବିବାହ, ପୌଷ୍ୟ ସନ୍ତାନ ଗ୍ରହଣ ଏବଂ ସଂପତ୍ତି ଅଧିକାର ଉପରେ ସୁପ୍ରିମକୋର୍ଟ ବିଚାର କରୁନଥିବା ଜଣାଇଛନ୍ତି । ବେଞ୍ଚ କେବଳ ସହମତିରେ ପ୍ରାପ୍ତ ବୟସ୍କ ସମଲିଙ୍ଗୀ ସଂପର୍କକୁ ନେଇ ଥିବା ଆଇନ ଅପରାଧ କି ନୁହେଁ, ତାହା ଉପରେ ବିଚାର କରୁଥିବା କହିଛନ୍ତି । ଆବେଦନକାରୀଙ୍କ ଓକିଲମାନେ ଏହି ଆଇନ ୧୫୮ ବର୍ଷ ତଳର ବ୍ରିଟିସ ମାନସିକତାକୁ ଦର୍ଶାଉଛି ଏବଂ ଏହା ସମ୍ବିଧାନର ଧାରା ୧୪, ୧୫, ୧୯, ଓ ୨୧କୁ ଉଲଂଘନ କରୁଥିବା ଯୁକ୍ତି ଦର୍ଶାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.