Below header

୮୨ ବର୍ଷ ବୟସ୍କା ପତ୍ନୀଙ୍କୁ ୮୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଛାଡ଼ପତ୍ର ମାମଲାକୁ ଖାରଜ କଲେ ସୁପ୍ରିମକୋର୍ଟ, କହିଲେ ଏମିତି କଥା

ଜଣେ ୮୯ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ୮୨ ବର୍ଷ ବୟସ୍କା ପତ୍ନୀଙ୍କ ବିରୋଧରେ ଆଗତ କରିଥିବା ଏକ ଛାଡପତ୍ର ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ।

ଜଣେ ୮୯ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ୮୨ ବର୍ଷ ବୟସ୍କା ପତ୍ନୀଙ୍କ ବିରୋଧରେ ଆଗତ କରିଥିବା ଏକ ଛାଡପତ୍ର ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି । ପତି-ପତ୍ନୀ, ଜୀବନର ସାୟାହ୍ନରେ ଉପନୀତ ହୋଇଥିବାରୁ ଏକତ୍ର ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ଭିତରେ ଏହାର ପୁନର୍ବିଚାର କରିବାକୁ ଜଷ୍ଟିସ ଅନିରୁଦ୍ଧ ବୋଷ ଓ ବେଲା ଏମ୍‌ ତ୍ରବେଦୀଙ୍କ ଖଣ୍ଡପୀଠ ଗତ ୧୦ ତାରିଖରେ ରାୟ ଦେଇଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଉକ୍ତ ୮୯ ବର୍ଷ ବ୍ୟକ୍ତି ତାଙ୍କ ୮୨ ବର୍ଷିୟା ପତ୍ନୀଙ୍କୁ ଛାଡପତ୍ର ପାଇଁ ଚଣ୍ଡୀଗଡ଼ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ । ଚଣ୍ଡୀଗଡ଼ ଜିଲ୍ଲାକୋର୍ଟ ଏହାର ବିଚାର କରି ଆବେଦକଙ୍କ ସପକ୍ଷରେ ୧୯୯୬ରେ ରାୟ ଦେଇଥିଲେ । ହେଲେ ଏହାକୁ ପଞ୍ଜାବ ଓ ହରିଆନା ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇ ଏହାର ବିବରୀତ ମତ ଦେଇଥିଲେ ।
ଫଳରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ଉକ୍ତ ୮୯ ବର୍ଷ ବୟସ୍କ ବ୍ୟକ୍ତି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

ସୁପ୍ରିମକୋର୍ଟ ଏହାର ବିଚାର କରି ହାଇକୋର୍ଟଙ୍କ ରାୟକୁ କାଏମ ରଖିବା ସହ ଛାଡପତ୍ର ପିଟିସନକୁ ଗ୍ରହଣ କରିନଥିଲେ । ଉଭୟ ଦମ୍ପତି ଜୀବନର ଅପରାହ୍ଣରେ ଉପନୀତ ହୋଇଥିବାରୁ ଏବଂ ପତ୍ନୀ ପାରିବାରିକ ଓ ସାଂସାରୀକ ଜୀବନ ସଫଳ ସହ ତୁଲାଇ ଥିବାରୁ ଏବଂ ଏବେ ବି ପତିଙ୍କୁ ପୁଅ ସହ ପାଖରେ ରଖି ସେବା କରିବାକୁ ଚାହୁଁଥିବାରୁ ଏହି ସ୍ଥାନରେ ‘ନିଷ୍ଠୁରତା’ ଓ ଏକାକୀତ୍ୱ କୁ ଗ୍ରହଣ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ମତ ଦେଇଥିଲେ । ବ୍ୟକ୍ତି ଜଣକ ସୁପ୍ରିମକୋର୍ଟରେ ତାଙ୍କ ପିଟିସନରେ ଦର୍ଶାଇ ଥଲେ ଯେ ସେ ତାଙ୍କ ପତ୍ନୀଙ୍କ ଠାରୁ ୧୯୯୬ ମସିହାରୁ ଅଲଗା ଅଛନ୍ତି । ଯାହାକି ଏକ ରକମ ଭଗ୍ନ ପ୍ରାୟ କହିଲେ ଭୁଲ ହେବ ନାହିଁ ।

ହେଲେ ପତ୍ନୀଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ସେ ଶେଷ ସମୟରେ ଛାଡପତ୍ର ଭଳି ଏକ ସାମାଜିକ କଳଙ୍କ ନେଇ ମରିବାକୁ ଚାହୁଁ ନାହାଁନ୍ତି । ସେ ତାଙ୍କ ବିବାହକୁ ସମ୍ମାନ ଦିଅନ୍ତି, ସେ ଏବେ ବି ତାଙ୍କ ପୁଅଙ୍କ ସହ ତାଙ୍କ ସ୍ୱାମୀଙ୍କ ଦେଖାଶୁଣା କରିବାକୁ ଚାହାଁନ୍ତି ବୋଲି ପତ୍ନୀଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା ।

ସୁପ୍ରିମକୋର୍ଟ ଏ ମାମଲାରେ ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବାକୁ ଅନିଚ୍ଛା ପ୍ରକାଶ କରିବା ସହ ଛାଡପତ୍ରକୁ ଗ୍ରହଣ କରି ନଥିଲେ । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଥିଲେ ଯେ ମହିଳା ଜଣକ ସାରା ଜୀବନ ଏକ ପବିତ୍ର ସମ୍ପର୍କ ବିତାଇ ଆସିଛନ୍ତି । ସ୍ୱାମୀଙ୍କ ବିରୋଧ ସତ୍ତ୍ୱେ ସେ ତାଙ୍କର ୩ ସନ୍ତାନଙ୍କ ଦେଖାଶୁଣା କରିଛନ୍ତି । ପତ୍ନୀ ଏବେ ବି ସ୍ୱାମୀଙ୍କୁ ଏକା ନଛାଡି ତାଙ୍କ ଦେଖାଶୁଣା କରିବାକୁ ରାଜି ଅଛନ୍ତି ।

ପତ୍ନୀ ସାମାଜିକ ଚଳଣୀରେ ଛାଡପତ୍ର ଭଳି କଳଙ୍କ ସହ ମରିବାକୁ ଚାହାଁନ୍ତି ନାହିଁ । ତେଣୁ ଏ କ୍ଷେତ୍ରରେ ଛାଡପତ୍ର ରାୟ ଦେବା ମହିଳାଙ୍କ ପ୍ରତି ଅନ୍ୟାୟ ହେବ । ତେଣୁ ଜୀବନର ଶେଷ ସମୟରେ ଉଭୟେ ଏକାଠି ବସି ବୁଝାମଣାଭିତ୍ତିରେ ଏହାର ସମାଧାନ କରିବାକୁ କୋର୍ଟ ଆଶା କରେ ବୋଲି ସୁପ୍ରମକୋର୍ଟ ତାଙ୍କ ଟିପ୍ପଣୀ ଦେଇଥିଲେ ।

ପ୍ରକାଶଯୋଗ୍ୟ, ଏହି ଦମ୍ପତି ୧୯୬୩ ମସିହାରେ ଶିଖ ରୀତିନୀତି ଅନୁଯାୟୀ ଅମୃତସରରେ ବିବାହ କରିଥିଲେ । ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ରହିଥିବା ବେଳେ ସ୍ୱାମୀ ଜଣେ ଡାକ୍ତର ଭାବେ ଏୟାରଫୋର୍ସରେ କାମ କରୁଥିଲେ । ପତ୍ନୀ ଜଣେ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ । ୧୯୮୪ ରେ ସ୍ୱାମୀଙ୍କର ମାଡ୍ରାସ ବଦଳି ହେବା ପରେ ପତ୍ନୀ ତାଙ୍କ ସହ ଯାଇ ନଥିଲେ । ବରଂ ସେ ନିଜ ଶାଶୁ-ଶ୍ୱଶୁର ଓ ପିଲାଙ୍କ ସହ ରହିବାକୁ ପସନ୍ଦ କରିଥିଲେ । ଯାହାକୁ ନେଇ ପତି କୋର୍ଟରେ ଛାଡପତ୍ର ମାମଲା ଦାଖଲ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.