ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ପ୍ରକ୍ରିୟା ତ୍ୱରାନ୍ୱିତ, ବ୍ୟବହାର ଠିକ୍ ରଖିବା ସହ କାହାକୁ ଜବରଦସ୍ତ କରିବେ ନାହିଁ ଜେଟିପି

ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନେଇ ସମସ୍ତ ନିଯୋଗ ଏବଂ ହୋଟେଲ ଆସୋସିଏସନ୍ ର ସହଯୋଗ କାମନା ପରେ ଆଜି ନୀଳାଦ୍ରି ଭକ୍ତ ନିବାସରେ ଜେଟିପିମାନଙ୍କୁ ଦକ୍ଷତା ବିକାଶ ନେଇ ତାଲିମ ଦିଆଯାଇଛି।

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ପ୍ରକ୍ରିୟା ଏବେ ତ୍ୱରାନ୍ୱିତ ହୋଇଛି। ଜଗନ୍ନାଥ ଟେମ୍ପଲ ପୋଲିସ ବା ଜେଟିପି ଭକ୍ତଙ୍କ ଡ୍ରେସକୁ ନେଇ ତଦାରଖ କରିବେ । ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନେଇ ସମସ୍ତ ନିଯୋଗ ଏବଂ ହୋଟେଲ ଆସୋସିଏସନ୍ ର ସହଯୋଗ କାମନା ପରେ ଆଜି ନୀଳାଦ୍ରି ଭକ୍ତ ନିବାସରେ ଜେଟିପିମାନଙ୍କୁ ଦକ୍ଷତା ବିକାଶ ନେଇ ତାଲିମ ଦିଆଯାଇଛି। ସେମାନେ ଯାତ୍ରୀ ତଥା ପର୍ଯ୍ୟଟକଙ୍କୁ ଯେଭଳି ଉଚିତ୍ ବ୍ୟବହାର ପ୍ରଦର୍ଶନ କରି ସଚେତନ କରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି।

ଆଚାର,ଉଚାରଣ ଓ ବ୍ୟବହାର ଠିକ୍ ରଖିବା ସହ କାହାକୁ ଜବରଦସ୍ତ କରିବେ ନାହିଁ। ଏହାପୂର୍ବରୁ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତ ସେବାୟତ ନିଯୋଗ ତଥା ହୋଟେଲ୍ ଓ ରେଷ୍ଟୁରାଣ୍ଟ ସଂଘ ସଭାପତି ଓ ସମ୍ପାଦକଙ୍କୁ ଚିଠି ଲେଖି ସହଯୋଗ ଲୋଡିଥିଲେ। ବାହାରୁ ଆସୁଥିବା ଅଧିକାଂଶ ଶ୍ରଦ୍ଧାଳୁ ଲଜିଂ,ଗେଷ୍ଟ ହାଉସ୍, ହୋଟେଲରେ ରହିଥାନ୍ତି। ହୋଟେଲ୍ ମାନଙ୍କରେ ଟୁରିଷ୍ଟ ଗାଇଡ୍ ଓ ଯାତ୍ରୀପଣ୍ଡା ଭକ୍ତ ଓ ପର୍ଯ୍ୟଟକଙ୍କୁ ସଚେତନ କରିବାକୁ କୁହାଯାଇଛି। ପୁରୁଷଙ୍କ ପାଇଁ ପ୍ୟାଣ୍ଟ, ସାର୍ଟ,ଚୁଡିଦାର ପଞ୍ଜାବୀ,ଧୋତି ଓ ମହିଳାଙ୍କ ପାଇଁ ଶାଢୀ ଓ ସାଲୁଆର୍ କମିଜ୍ ପରିଧାନ ପାଇଁ ସଚେତନ କରାଯିବ। ସମସ୍ତଙ୍କ ସମ୍ମିଳିତ ଉଦ୍ୟମରେ ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଆଗାମୀ ୨ ମାସ ଧରି ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନେଇ ସଚେତନ କରାଯିବ ।ଆସନ୍ତା ଜାନୁଆରୀ ୧ ତାରିଖରୁ ଏହାକୁ କଡାକଡି ଭାବେ ପାଳନ କରାଯିବ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.