ତାମିଲନାଡୁରେ ବନ୍ଦ ହେବନି ‘ଜଲ୍ଲିକଟ୍ଟୁ’, ସୁପ୍ରିମକୋର୍ଟ ମହାରାଷ୍ଟ୍ରରେ ବଳଦଗାଡ଼ି ଦୌଡ଼କୁ ବି ଦେଲେ ଅନୁମତି
ତାମିଲନାଡୁରେ ଜାରି ରହିବ ଜଲ୍ଲିକଟ୍ଟୁ। ଷଣ୍ଢକୁ କାବୁ କରିବାର ଖେଳ ହେଉଛି ‘ଜଲ୍ଲିକଟ୍ଟୁ’। ଏହାକୁ ଅନୁମତି ଦେଇଥିବା ରାଜ୍ୟ ସରକାରଙ୍କ ଆଇନକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି।
ତାମିଲନାଡୁରେ ଜାରି ରହିବ ଜଲ୍ଲିକଟ୍ଟୁ। ଷଣ୍ଢକୁ କାବୁ କରିବାର ଖେଳ ହେଉଛି ‘ଜଲ୍ଲିକଟ୍ଟୁ’। ଏହାକୁ ଅନୁମତି ଦେଇଥିବା ରାଜ୍ୟ ସରକାରଙ୍କ ଆଇନକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ସୁପ୍ରିମକୋର୍ଟ ନିଜର ରାୟ ଦେବା ବେଳେ କହିଛନ୍ତି ଯେ ନୂଆ ଆଇନରେ କ୍ରୁରତାର ଦିଗ ପ୍ରତି ଧ୍ୟାନ ଦିଆଯାଇଛି। ଯୁଗ ଯୁଗ ଧରି ଏହି ଖେଳ ତାମିଲନାଡୁ ସଂସ୍କୃତିର ଏକ ଅଂଶ ଭାବେ ରହିଆସିଛି ଏବଂ ଏଥିରେ ବ୍ୟାଘାତ ହୋଇପାରିବ ନାହିଁ।
ଷଣ୍ଢମାନଙ୍କ ପ୍ରତି ନିର୍ଦ୍ଦୟତା ଦର୍ଶାଇ ଆଇନ ରଦ୍ଦ କରିବାକୁ ଦାବି କରାଯାଇଥିଲା। ଏହି ଆବେଦନରେ ସଂସଦ ଦ୍ୱାରା ପାରିତ ହୋଇଥିବା ଆଇନକୁ ପଶୁ କ୍ରୁରତା ନିରୋଧକ ଆଇନର ଉଲ୍ଲଂଘନ ବୋଲି ବର୍ଣ୍ଣନା କରାଯାଇଥିଲା, ଯାହାକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ଯଦି କୌଣସି ପଶୁ ପ୍ରତି କ୍ରୁରତା କରାଯାଏ, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।
ସେପଟେ ମହାରାଷ୍ଟ୍ରରେ ବଳଦଗାଡ଼ି ଦୌଡ଼ ଏବଂ କର୍ଣ୍ଣାଟକର କମ୍ବାଲା ଖେଳ ବିରୋଧରେ ମଧ୍ୟ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି ଯେ ଏହି ତିନି ଅଧିନିୟମ ବୈଧ ଏବଂ ଏଥିରେ ପଶୁମାନଙ୍କର ସୁରକ୍ଷା ସୁନିଶ୍ଚିତ କରାଯାଇଛି।
ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ଏହାର ରାୟ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି କି, ଜଲ୍ଲିକଟ୍ଟୁ ଏକ ପାରମ୍ପରିକ ଖେଳ, ଯାହା ବହୁ ବର୍ଷ ଧରି ଖେଳାଯାଇ ଆସୁଛି। ତେଣୁ ଏହା ଉପରେ ପ୍ରତିବନ୍ଧକ ଲଗାଇବା ଠିକ୍ ନୁହେଁ।