ପେଗାସସ୍‌ ମାମଲାରେ ସୁପ୍ରିମ କୋର୍ଟଙ୍କ ଟିପ୍ପଣୀ, ମିଡିଆ ରିପୋର୍ଟ ସତ ହୋଇଥିଲେ ଅଭିଯୋଗ ସାଂଘାତିକ

କେନ୍ୟୁଜ୍(ବ୍ୟୁରୋ): ମିଡିଆ ରିପୋର୍ଟ ସତ ହୋଇଥିଲେ ଅଭିଯୋଗ ସାଂଘାତିକ । ପେଗାସସ୍‌ ମାମଲାର ଶୁଣାଣି କରି ଏଭଳି ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନଭି ରମଣା ଓ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଶୁଣାଣି ବେଳେ ଆବଦେନକାରୀଙ୍କ ପକ୍ଷ ରଖି ବରିଷ୍ଠ ଆଇନଜୀବୀ କପିଲ ଶିବଲ କହିଥିଲେ, ପେଗାସସ୍‌ ଏଭଳି ଏକ ଖରାପ ଟେକ୍ନୋଲୋଜି ଯାହା ଆମ ଅଜାଣତରେ ଆମ ଜୀବନରେ ପ୍ରବେଶ କରି ଗୋପନୀୟତା ଓ ମର୍ଯ୍ୟାଦା ହାନୀ କରୁଛି। ଭାରତୀୟ ଗଣତନ୍ତ୍ରର ମୂଲ୍ୟବୋଧକୁ ମଧ୍ୟ କ୍ଷୁଣ୍ଣ କରୁଛି। ପ୍ରଧାନ ବିଚାରପତି କହିଥିଲେ, ୨୦୧୯ରେ ପେଗାସସ୍‌ ଗୁଇନ୍ଦାଗିରି ହୋଇଥିଲା । ଅଧିକ ସୂଚନା ପାଇଁ ଉଦ୍ୟମ ହୋଇଥିଲା କି ନାହିଁ ମୁଁ ଜାଣିନି । ପ୍ରତି ମାମଲାକୁ ମୁଁ ଯାଉନି । କିଛି ଲୋକ ତାଙ୍କ ଫୋନ୍‌ ଟ୍ୟାପିଂ ହୋଇଥିବା ଦାବି କରିଛନ୍ତି ।

ମିଡିଆ ରିପୋର୍ଟ ସତ ହୋଇଥିଲେ ଅଭିଯୋଗ ସାଂଘାତିକ । ସତ ସାମ୍ନାକୁ ଆସିବା ଦରକାର । ଏନଏସ୍‌ଓର ଲିକ୍‌ ହୋଇଥିବା ଡାଟାବେସ୍‌ରେ ୩୦୦ ଭାରତୀୟଙ୍କ ଫୋନ୍‌ ନମ୍ବର ଥିଲା । ଇସ୍ରାଏଲୀ ସ୍ପାଏେଓ୍ଵର ପୋଗାସସ୍‌ ଜରିଆରେ ଏହି ସବୁ ନମ୍ବରକୁ ଟାର୍ଗେଟ୍‌ କରାଯାଇଥିବା ଅଭିଯୋଗ ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମଙ୍ଗଳବାର ହେବ ।

ସିପିଏମ୍‌ ସାଂସଦ ଜହନ୍‌ ବ୍ରିଟାସ୍‌, ଆଇନ୍‌ଜୀବୀ ଏମ୍‌ଏଲ ଶର୍ମା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଦୁଇ ଦିନ ପୂର୍ବରୁ ଏଡିଟର୍ସ ଗିଲ୍‌ଡ ଅଫ୍‌ ଇଣ୍ଡିଆ ପକ୍ଷରୁ ମଧ୍ୟ ଆବେଦନ ହୋଇଥିଲା । ପୋଗସସ୍‌ ମାମଲାରେ କେନ୍ଦ୍ର ସରକାରଙ୍କ ଠାରୁ ସମସ୍ତ ତଥ୍ୟ ମାଗିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲା ଏଡିଟର୍ସ ଗିଲ୍‌ଡ ଅଫ୍‌ ଇଣ୍ଡିଆ। ସେହିପରି ସାମ୍ବାଦିକ ଏନ୍‌ ରାମ ଓ ଶଶି କୁମାର ପେଗାସସ୍‌ ମାମଲାରେ ଏସ୍‌ଆଇଟି ତଦନ୍ତ ଦାବି କରି ଆବେଦନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.