୨୦୧୭ ଉନ୍ନାଓ ନାବାଳିକା ଦୁଷ୍କର୍ମ ମାମଲାରେ ଦିଲ୍ଲୀ ତିସ୍‌ ହଜାରୀ କୋର୍ଟଙ୍କ ବଡ଼ ନିଷ୍ପତ୍ତି, ବହିଷ୍କୃତ ବିଜେପି ବିଧାୟକ ଦୋଷୀ ସାବ୍ୟସ୍ତ

କେନ୍ୟୁଜ୍(ବ୍ୟୁରୋ): ୨୦୧୭ ଉନ୍ନାଓ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦିଲ୍ଲୀ ତିସ୍‌ ହଜାରୀ କୋର୍ଟଙ୍କ ବଡ଼ ନିଷ୍ପତ୍ତି । ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସେଙ୍ଗର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅନ୍ୟ ଜଣେ ସହଯୋଗୀ ଅଭିଯୁକ୍ତ ଶଶୀ ସିଂହଙ୍କୁ ବି ଦୋଷୀ ସାବ୍ୟସ୍ତ କରିଛନ୍ତି ତିସ୍‌ ହଜାରୀ କୋର୍ଟ। ଏହି ମାମଲାରେ ଆସନ୍ତା ୧୯ ତାରିଖରେ ଦଣ୍ଡ ବିଧାନ ନେଇ କୋର୍ଟରେ ଶୁଣାଣି ହେବ। ମୋଟ୍‌ ୫ଟି ମାମଲାରୁ ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଅଭିଯୋଗ ହୋଇଥିଲା, କୁଳଦୀପ ସେଙ୍ଗର ୨୦୧୭ରେ ଜଣେ ଯୁବତୀଙ୍କୁ ଅପହରଣ ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ସେତେବେଳେ ଯୁବତୀ ନାବାଳିକା ଥିଲେ। ଶଶୀ ସିଂହଙ୍କ ନାଁରେ ଅଭିଯୋଗ ହୋଇଥିଲା ଯେ, ପୀଡିତାଙ୍କୁ ଚାକିରି କରାଇ ଦେବାକୁ କହି ସେ ପୂର୍ବତନ ବିଧାୟକ କୁଳଦୀପ ସେଙ୍ଗରଙ୍କ ନିକଟକୁ ନେଇଥିଲେ। ସେମାନଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଅପହରଣ, ଦୁଷ୍କର୍ମ ଏବଂ ପକ୍‌ସୋ ଆକ୍ଟରେ ମାମଲା ରୁଜୁ ହୋଇଥିଲା। ଉତ୍ତରପ୍ରଦେଶ ବାଙ୍ଗରମଉ ବିଧାନସଭା ଆସନରୁ ଚାରି ଚାରି ଥର ବିଧାୟକ ଥିବା କୁଳଦୀପ ସେଙ୍ଗର ଉନ୍ନାଓ ଦୁଷ୍କର୍ମ ମାମଲାରେ ଗିରଫ ହେବା ପରେ ତାଙ୍କୁ ଚଳିତବର୍ଷ ଦଳରୁ ବହିଷ୍କାର କରିଥିଲା ବିଜେପି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.