Below header

ତାଲିବାନୀ ଆଦେଶ! ଏଣିକି ସରକାରୀ ପୁରୁଷ କର୍ମଚାରୀ ରଖିବେ ଦାଢ଼ି, ପାଳନ କରିବେ ଡ୍ରେସ୍ କୋଡ୍ ନିୟମ

ଆଫଗାନିସ୍ତାନରେ ଲୋକେ ତାଲିବାନୀ ଶାସନ ପ୍ରଣାଳୀକୁ ନେଇ ଅତ୍ୟନ୍ତ କ୍ଷୁବ୍ଧ ତଥା ଅସନ୍ତୁଷ୍ଟ ଅଛନ୍ତି। ଦେଶରେ ତାଲିବାନୀ ଶାସନ ଆସିବା ପରଠାରୁ ଲଗାତାର କଠୋରବାଦୀ ଆଦେଶ ଜାରି ହୋଇ ଚାଲିଛି। ଏହାରି ଭିତରେ ତାଲିବାନ ଆଉ ଏକ ନୂଆ ଆଦେଶ ଜାରି କରିଛି। ଏହି ଆଦେଶ ମୁତାବକ, ଏଣିକି ସମସ୍ତ ସରକାରୀ କର୍ମଚାରୀଙ୍କୁ ଦାଢ଼ି ବଢ଼ାଇବାକୁ ହେବ ଏବଂ ଧାର୍ଯ୍ୟ ଡ୍ରେସ୍ କୋଡ୍ ନିୟମ ପାଳନ କରିବାକୁ ପଡ଼ିବ। ଯଦି କେହି କର୍ମଚାରୀ ଏହି ଆଦେଶ ପାଳନ ନ କରନ୍ତି, ତେବେ ତାଙ୍କୁ ଅଫିସରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ଏଥି ସହିତ ସେମାନଙ୍କୁ ଚାକିରିରୁ ମଧ୍ୟ ବହିଷ୍କାର କରି ଦିଆଯାଇପାରେ।

ଏକ ରିପୋର୍ଟ ଅନୁସାରେ, ଏହାକୁ ନେଇ ସମ୍ବନ୍ଧିତ ମନ୍ତ୍ରାଳୟର ପ୍ରତିନିଧିମାନେ ସରକାରୀ ଅଫିସ୍ଗୁଡ଼ିକର ଗେଟ୍ ପାଖରେ ପାଟ୍ରୋଲିଂ କରୁଛନ୍ତି। ଯେପରି ଜଣାପଡ଼ିବ ଯେ କର୍ମଚାରୀମାନେ ନିୟମ ପାଳନ କରୁଛନ୍ତି କି ନାହିଁ। ପାଟ୍ରୋଲିଂ ସମୟରେ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି କି, ସେମାନେ ନିଜ ଦାଢ଼ି ନ କାଟନ୍ତୁ। ଏଥିସହ ସ୍ଥାନୀୟ ପୋଷାକ ଯେପରି ଲମ୍ବା ଓ ଢ଼ିଲା ଟପ୍ ଏବଂ ଟ୍ରାଉଜର ସହିତ ଟୋପି କିମ୍ବା ପଗଡ଼ି ପିନ୍ଧନ୍ତୁ। ସମସ୍ତେ ଠିକ୍ ସମୟରେ ନମାଜ ପଢ଼ିବାକୁ ମଧ୍ୟ କୁହାଯାଇଛି।

କହି ରଖୁଛୁ, ଗତ ସପ୍ତାହରେ ତାଲିବାନ ମହିଳାମାନଙ୍କ ପାଇଁ ଏକ କଡ଼ା ପ୍ରତିବନ୍ଧକ ଲଗାଇଥିଲା। ଏହା ଅନୁସାରେ, ସେମାନେ ପୁରୁଷ ଅଭିଭାବକଙ୍କ ବିନା ବିମାନରେ ବସି ପାରିବେ ନାହିଁ। ଏପରି କି, ପାର୍କଗୁଡ଼ିକରେ ମହିଳା ଏବଂ ପୁରୁଷ ଏକ ସାଥୀରେ ବୁଲିବା ଉପରେ ମଧ୍ୟ ରୋକ୍ ଲଗାଇ ଦିଆଯାଇଥିଲା। ଉଭୟଙ୍କ ପାଇଁ ଅଲଗା ଅଲଗା ଦିନ ଧାର୍ଯ କରାଯାଇଛି। ସେହିପରି ବିବାହିତ ଦମ୍ପତି ଏବଂ ପରିବାର ଲୋକେ ମଧ୍ୟ ଏକାଠି ଯାଇ ପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.