Below header

କରୋନା ଭାଇରସ୍‌ର ମୁକାବିଲା ପାଇଁ ଟାଟା ଟ୍ରଷ୍ଟ ଦେଲେ ୫୦୦ କୋଟିର ସହାୟତା

କରୋନା ଭାଇରସକୁ ମୁକାବିଲା ପାଇଁ ସାରା ଦେଶ ଏବେ ଏକ ହୋଇଯାଇଛି । ଏହି ବିପଦରୁ ମୁକୁଳିବା ପାଇଁ ନେତା ଠାରୁ ଅଭିନେତା, ସାଧାରଣ ଜନତା କିମ୍ବା ଶିଳ୍ପପତି ସମସ୍ତେ ସହଯୋଗର ହାତ ବଢ଼ାଇଛନ୍ତି । ଏହି ଅବସରରେ ଟାଟା ଟ୍ରଷ୍ଟ  କରୋନା ଭାଇରସ୍‌ର ମୁକାବିଲା ପାଇଁ ୫୦୦ କୋଟି ଟଙ୍କାର ସହାୟତା ରାଶି ଦେଶର ସମସ୍ତ କରୋନା ପ୍ରପୀଡିତଙ୍କ ପାଇଁ ଦାନ କରିଥିବା ପ୍ରକାଶ କରିଛନ୍ତି ।

ଏହି ସହାୟତା ରାଶି ମେଡିକାଲ୍‌ କ୍ଷେତ୍ରରେ କାମ କରୁଥିବା ଛାମୁଆ କର୍ମକର୍ତ୍ତା, କରୋନା ରୋଗୀ, କରୋନା ଟେଷ୍ଟିଂ କିଟ୍‌ ଏବଂ ସ୍ୱାସ୍ଥ୍ୟ କର୍ମୀ ଓ ସାଧାରଣ ଲୋକଙ୍କୁ କରୋନା ସମ୍ପର୍କୀତ ସଚେତନତା ଆଦି କାର୍ଯ୍ୟରେ ଖର୍ଚ୍ଚ କରାଯିବ ବୋଲି ଟାଟା କମ୍ପାନୀ ପକ୍ଷରୁ କୁହାଯାଇଛି ।

ସାରା ବିଶ୍ୱ ତଥା ଭାରତରେ କରୋନା ଏକ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି । ଟାଟା କମ୍ପାନୀ ପୂର୍ବରୁ ମଧ୍ୟ ଦେଶର ଆବଶ୍ୟକତା ବେଳେ ଠିଆ ହୋଇଛି । ଏଭଳି ଘଟଣାକୁ ଗମ୍ଭୀରତାର ସହ ନେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟାଟା କମ୍ପାନୀର ଅଧ୍ୟକ୍ଷ ରତନ ଟାଟା ପ୍ରକାଶ କରିଛନ୍ତି ।

ସେହିପରି ରିଲାଏନ୍ସ ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କରୋନା ଭାଇରସ୍‌ର ମୁକାବିଲା ପାଇଁ ମହାରାଷ୍ଟ୍ର ସରକାରଙ୍କ ରିଲିଫ୍‌ ଫଣ୍ଡକୁ ୫ କୋଟି ଦାନ କରିଛନ୍ତି । ଏଥିସହ କମ୍ପାନୀ ପକ୍ଷରୁ ଏକ ହସ୍‌ପିଟାଲ ଓ ଆଇସୋଲେସନ୍‌ ସେଣ୍ଟର ନିର୍ମାଣ କରିବାକୁ ପ୍ରକାଶ କରାଯାଇଛି ।

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଏକ ରିସୋର୍ଟକୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଛାଡ଼ି ଦିଆଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଆଇଟିସି, ଏଚ୍‌ୟୁଏଲ୍‌, ଆର୍‌ବି ଓ ଗଦରେଜ ଭଳି ବିଭିନ୍ନ ଏଫ୍‌ଏମ୍‌ସିଜି କମ୍ପାନୀ ମଧ୍ୟ ବିଭିନ୍ନ ସାମଗ୍ରୀ ସହ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.