୨୦୨୨: ଅମରନାଥ ଶିବଲିଙ୍ଗର ପ୍ରଥମ ଝଲକ୍‌! ଯାତ୍ରା ପାଇଁ ଆରମ୍ଭ ହୋଇଗଲାଣି ପଞ୍ଜୀକରଣ…

ଚଳିତବର୍ଷ ଅମରନାଥ ଶିବଲିଙ୍ଗର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ପବିତ୍ର ଅମରନାଥ ଗୁମ୍ଫା ଏବଂ ଏହା ଆଖାପାଖ ଅଞ୍ଚଳ ବରଫରେ ଢାଙ୍କି ହୋଇ ରହିଥିବା ଫଟୋରେ ଦେଖାଯାଇ ପାରିବ। କିନ୍ତୁ ଏହି ଫଟୋଗୁଡ଼ିକ ଅଫିସିଆଲ ଭାବେ ନିଶ୍ଚିତ ହୋଇନାହିଁ। ବାବାଙ୍କୁ ଦର୍ଶନ ପାଇଁ ଶ୍ରୀ ଅମରନାଥ ଯାତ୍ରା ଦୁଇ ବର୍ଷ ପରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ଶ୍ରଦ୍ଧାଳୁମାନଙ୍କ ପାଇଁ ଏହା କୌଣସି ଖୁସିଠାରୁ କମ୍‌ ନୁହେଁ।

କରୋନା ସଂକ୍ରମଣ ଯୋଗୁ ଗତ ଦୁଇ ବର୍ଷ ହେବ ଯାତ୍ରା ଉପରେ ରୋକ୍‌ ଲଗା ଯାଇଥିଲା। ୨୦୨୨ର ଅମରନାଥ ଯାତ୍ରା ପାଇଁ ସୋମବାରଠାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି। ଅମରନାଥ ମନ୍ଦିର ଜମ୍ମୁ-କାଶ୍ମୀରରେ ୧୨,୭୫୬ ଫୁଟ୍‌ ଉଚ୍ଚରେ ଅବସ୍ଥିତ। ଅମରନାଥ ଗୁମ୍ଫା ଲିଦ୍ଦର ଘାଟିରେ ରହିଛି। ଏହି ଗୁମ୍ଫା ବର୍ଷର ଅଧିକାଂଶ ସମୟ ବରଫରେ ଢ଼ାଙ୍କି ହୋଇ ରହିଥାଏ। ଖରାଦିନେ ଖୁବ୍‌ କମ୍‌ ସମୟ ପାଇଁ ତୀର୍ଥଯାତ୍ରୀଙ୍କ ଲାଗି ଏହାକୁ ଖୋଲା ଯାଇଥାଏ।

ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଯାତ୍ରାରେ ଆସି ଥାଆନ୍ତି। କୋଭିଡ୍‌ ମହାମାରୀ ଯୋଗୁ ୨୦୨୦ ଏବଂ ୨୦୨୧ରେ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ୨୦୧୯ରେ ମଧ୍ୟ କିଛିଦିନ ପାଇଁ ଯାତ୍ରା ବନ୍ଦ ରହିଥିଲା। ଅମରନାଥ ଶ୍ରାଇନ ବୋର୍ଡର ସୂଚନା ଅନୁଯାୟୀ, ଯାତ୍ରା ପାଇଁ ଏପ୍ରିଲ ୧୧ରୁ ଜମ୍ମୁ-କାଶ୍ମୀର ବ୍ୟାଙ୍କ, ପିଏନ୍‌ବି ବ୍ୟାଙ୍କ ଓ ୟେସ୍‌ ବ୍ୟାଙ୍କର ୪୪୬ ଶାଖା ଏବଂ ୧୦୦ ଏସ୍‌ବିଆଇ ବ୍ୟାଙ୍କ ଶାଖାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି। ଚଳିତବର୍ଷ ଅନଲାଇନ ପଞ୍ଜୀକରଣର ବି ସୁବିଧା ମିଳୁଛି।

ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ୩୦୦୦ ତୀର୍ଥଯାତ୍ରୀଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ପାଖାପାଖି ୩ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଆସିବାର ଆଶା ରହିଛି। ଅମରନାଥ ଶ୍ରାଇନ ବୋର୍ଡର ଅଫିସିଆଲ େଓ୍ଵବ୍‌ସାଇଟ www.shriamarnathjishrine.com କିମ୍ବା ମୋବାଇଲ ଆପ୍ଲିକେସନରୁ ପଞ୍ଜୀକରଣ କରାଯାଇ ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.