Below header

କୋଟି କୋଟି ଟଙ୍କାର ଋଣ ଠକେଇ ମାମଲା: ଚନ୍ଦା କୋଚର ଓ ସ୍ୱାମୀ ଦୀପକ କୋଚରଙ୍କ ମୁକ୍ତି ଆଦେଶ ଜାରି; ନିଷ୍ପତ୍ତି ଶୁଣାଇଲେ ବମ୍ବେ ହାଇକୋର୍ଟ

ଆଇସିଆଇସିଆଇ ବ୍ୟାଙ୍କ-ଭିଡିଓକନ୍ ଋଣ ଠକେଇ ମାମଲାରେ ବମ୍ବେ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ହାଇକୋର୍ଟ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ନ୍ୟାୟିକ ହେପାଜତରୁ ମୁକ୍ତ କରିବାକୁ ଅନୁମତି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ କୋଚର ଦମ୍ପତିଙ୍କ ଗିରଫଦାରୀ ଆଇନ ମୁତାବକ ନୁହେଁ।

କୋର୍ଟ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଓ ଦୀପକ କୋଚରଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ନଗଦ ଜାମିନରେ ମୁକ୍ତ କରିବାକୁ ଅନୁମତି ଦେଇଛନ୍ତି। ହେଲେ ସିବିଆଇ ସେମାନଙ୍କ ମୁକ୍ତିକୁ ବିରୋଧ କରିଛି। କହି ରଖୁଛୁ କି, ଆଇସିଆଇସିଆଇ ବ୍ୟାଙ୍କ-ଭିଡିଓକନ୍ ଋଣ ଠକେଇ ମାମଲାରେ ସିବିଆଇ କୋଚର ଦମ୍ପତିଙ୍କୁ ଗିରଫ କରିଥିଲା। ଏହାପରେ ସମାନ ମାମଲାରେ ଭିଡିଓକନ୍ ପ୍ରମୋଟର୍ ଭେନୁଗୋପାଲ ଧୁତ୍‌ଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ତିନିଜଣ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି।

କ’ଣ ରହିଛି ପୂରା ମାମଲା

ଅଭିଯୋଗ ମୁତାବକ, ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ବ୍ୟାଙ୍କର ନିୟମ ଉଲ୍ଲଂଘନ କରି ଭିଡିଓକନ୍ ଗ୍ରୁପକୁ ୩,୨୫୦ କୋଟି ଟଙ୍କା ଋଣ ଦେଇଥିଲେ। ଧୁତ୍‌ ୨୦୧୨ରେ ଆଇସିଆଇସିଆଇ ବ୍ୟାଙ୍କରୁ ଭିଡିଓକନ୍ ଗ୍ରୁପ୍‌କୁ ଋଣ ମିଳିବା ପରେ NuPower Renewables Pvt Ltd (NRPL)ରେ କୋଟି କୋଟି ଟଙ୍କାର ନିବେଶ କରିଥିଲେ।

ଧୁତ୍‌ ଆଇସିଆଇସିଆଇରୁ ଋଣ ମିଳିବାର ୬ ମାସ ପରେ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚର ଏବଂ ଦୁଇ ସମ୍ପର୍କୀୟଙ୍କ ସହ ମିଶି ଏହି ଫାର୍ମ ଆରମ୍ଭ କରିଥିଲେ। ଜଣେ ଅଜଣା ଖବରଦାତାଙ୍କ ଅଭିଯୋଗ ପରେ ମାମଲାର ଖୁଲାସା ହୋଇଥିଲା।

୨୦୧୯ ଜାନୁୟାରୀରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଭେନୁଗୋପାଲ ଧୁତ୍‌, ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କ ଉପରେ ଆପରାଧିକ ଷଡଯନ୍ତ୍ର ଏବଂ ଭ୍ରଷ୍ଟାଚାର ନିବାରଣ ଅଧିନିୟମ ସମ୍ବନ୍ଧିତ ଧାରାରେ ମାମଲା ରୁଜୁ କରିଥିଲା। ଫେବୃଆରୀରେ ଇଡି ମଧ୍ୟ ମନି ଲଣ୍ଡରିଂର ମାମଲା ପଞ୍ଜୀକୃତ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.